ଆ,କା,ମା, ବୈ….

0

ଉତ୍କଳର ପରମ୍ପରା ଓ ପର୍ବପର୍ବାଣୀ ବେଶ୍ ରୁଚି ସମ୍ପର୍ଣ୍ଣ ଓ ସମୃଦ୍ଧ।ବର୍ଷକ ବାର ମାସରୁ ପ୍ରତି ମାସରେ କିଛି ନା କିଛି ପର୍ବପର୍ବାଣୀ ଉତ୍କଳୀୟ ଜନ ମାନସର ଚିତ୍ତ ହରଣ କରେ।ସେଥି ମଧ୍ୟରୁ ଧର୍ମ ମାସ କାର୍ତ୍ତିକ ପୂର୍ଣ୍ଣିମାରେ ପାଳନ କରାଯାଉଥିବା ବୋଇତ ବନ୍ଦାଣ ବା ଡଙ୍ଗା ଭସା ଉତ୍ସବ ଅତି ପ୍ରାଚୀନ।ପ୍ରାଚୀନ କାଳରେ ଧନଧାନ୍ୟରେ ପରିପୂର୍ଣ୍ଣ ଉତ୍କଳର ସାଧବ ପୁଅ ମାନେ ଜାଭା,ବାଲି,ସୁମାତ୍ରା ଦ୍ଵୀପକୁ ବେପାର ବଣିଜ କରିବାକୁ ଯାଉଥିଲେ।ଏହାକୁ ଭିତ୍ତି କରି କାହାଣୀ ମାନ ଜନମାନସର ଚିତ୍ତବିନୋଦନ କରେ। ତେବେ ସେସମୟର ସାମୁଦ୍ରିକ ଝଡ ର ଭୟ ଯୋଗୁ ସାଧବ ମାନେ କାର୍ତ୍ତିକ ମାସର ପୂର୍ଣ୍ଣମୀରେ ଯାଇ ଆଷାଢ଼ ମାସ ବେଳକୁ ଫେରି ଆସୁଥିଲେ କାରଣ ସେହି ସମୟରେ ପବନର ଗତି ଅନୁକୂଳ ଥିଲା।

ତେଣୁ ସେହି ସ୍ମୃତିକୁ ଉଜ୍ଜୀବିତ କରିବା ପାଇଁ କାର୍ତ୍ତିକ ପୂର୍ଣ୍ଣମୀଦିନ ଥର ଥର ଶୀତରେ ଯେକୌଣସି ଜଳାଶୟରେ ଡଙ୍ଗା ଭସା ଯାଇ ବୋଲାହୁଏ
ଆ,କା,ମା, ଭୈ, ପାନ,ଗୁଆ ଖାଇ
ପାନ,ଗୁଆ ତୋର,ମାସକ ଧରମ ମୋର
ଅର୍ଥାତ୍ – ଆ ରେ ଆଷାଢ଼,କା ରେ କାର୍ତ୍ତିକ ,ମା ଭୟୀ ର ଅର୍ଥ କୌଣସି କିଛିକୁ ଭୟ ନକରି ।ଏହାର ପୂର୍ଣ୍ଣ ଅର୍ଥ ହେଉଛି କାର୍ତ୍ତିକ ମାସରେ ପାଗ ଅନୁକୂଳ ଥିବାରୁ କୌଣସି ବିପଦକୁ ଭୟ ନକରି ପାନ ଗୁଆ ଖାଇ ବେପାର କରିବାକୁ ଯାଇ ଆଷାଢ଼ ମାସରେ ଫେରି ଆସ।ପାନ,ଗୁଆ ତୁମେମାନେ ନିଅ ,କାର୍ତ୍ତିକ ମାସ ଯାକ ନିରାମିଷ ଭୋଜନ କରି ନିଷ୍ଟା ରେ ଯେଉଁ ରହିଥିଲି ତେଣୁ ମାସକ ଯାକ ଧର୍ମ ମୋର।କି ସୁନ୍ଦର ଲୋକ କଥା।ଅନ୍ୟ ଏକ ମତ ଅନୁଯାୟୀ ଆ,କା,ମା, ଵୈ ହେବ।ଆ ରେ ଆଷାଢ଼,କା ରେ କାର୍ତ୍ତିକ,ମା ରେ ମାଘ ଓ ଵୈ ରେ ବୈଶାଖ କୁ ଚାରି ଧର୍ମ ମାସ ବୋଲି ନିଆଯାଇଛି।

ଏହି ଚାରି ମାସରେ ବ୍ରତ କରି ଚାରି ପୂର୍ଣ୍ଣମୀରେ ଦାନ କଲେ ପୂଣ୍ୟ ମିଳେ।ଲୋକ କଥାରେ ବିଭିନ୍ନତା ଥିଲେ ମଧ୍ୟ ଏହି ପର୍ବ ଯେ ଉତ୍କଳ ପରମ୍ପରା ର ସମୃଦ୍ଧତା କୁ ସୂଚିତ କରୁଛି ଏଥିରେ ଦ୍ଵି ମତ ନାହିଁ।ସାମ୍ପ୍ରତିକ ପରିସ୍ଥିତିରେ କରୋନା ଜୀବନର ସମସ୍ତ କ୍ଷେତ୍ରରେ କାୟା ବିସ୍ତାର କରିଥିବା ବେଳେ ପର୍ବ ପର୍ବାଣୀ ମଧ୍ୟ ବାଦ୍ ଯାଇ ନାହିଁ।ଏଭଳି ଏକ ସୁନ୍ଦର ପ୍ରାଚୀନ ପରମ୍ପରା କୁ ଏବର୍ଷ ପାଳନ ନକରିପାରିଲେ ମଧ୍ୟ ତାକୁ ସମ୍ମାନର ସହ ସ୍ମରଣ କରିବା ହେଉଛି ସମୟର ଆହ୍ବାନ।

ମିତାଲି ମହାନ୍ତି
Leave A Reply

Your email address will not be published.