ଉଆଁସୀ କନ୍ୟା

0
Bocca 728*90

ରାତି ଦୁଇଟା ହେବ । ମୋବାଇଲର ଶବ୍ଦରେ ସୋନାଲିର ନିଦ ଭାଙ୍ଗିଗଲା । ଆଖି ମଳି ମଳି ଦେଖିଲା , ଅଜଣା ନମ୍ବର ।ଚାରି ଚାରିଟି ମିସ କଲ ।ଜରୁରୀ ନହୋଇଥିଲେ କେହି ଏତେ ରାତିରେ ଏମିତି ଫୋନ କରିନଥାନ୍ତା । ସୋନାଲିର ଭାବନାରେ ପୁର୍ଣଛେଦ ପକାଇ ପଞ୍ଚମ ଥର ପାଇଁ ମୋବାଇଲଟି ବାଜି ଉଠିଲା । ସେପଟୁ ଜଣେ ସ୍ତ୍ରୀ ଲୋକଟିଏ ଅସହାୟ ତଥା ବ୍ୟସ୍ତ ହୋଇ କହୁଥିଲା, ଆପଣ ଏସ ମହାପାତ୍ର ତ ? ଆପୋଲୋ ହସ୍ପିଟାଲର ବ୍ଳଡ଼ ବ୍ୟାଙ୍କ ରେଜିଷ୍ଟରରୁ ଆପଣଂକ ନମ୍ବର ପାଇଲି।AB ନେଗେଟିଭ ବ୍ଲଡ଼ ନିହାତି ଦରକାର । ଆକ୍ସିଡେଣ୍ଟରେ ମୋ ପୁଅ ବୋହୁ ଦୁଇଜଣ ଆପୋଲୋ ହସ୍ପିଟାଲରେ । ପୁଅର ବ୍ରେନ ହାମରେଜ । ଅପେରସନ ଦରକାର । ଏଇ ଦୁଇ ଘଣ୍ଟା ମଧ୍ୟ୍ୟରେ ନକଲେ ସେ ଆଉ ବଂଚିବନି ।ଗୋଟିଏ ବୋଲି ପୁଅ ମୋର । ଝିଅ ତୁମ ଗୋଡ଼ ଧରୁଛି । ଦୟାକର ଏ ବୁଢ଼ୀ ଉପରେ । ତୁମେ ଦୟା କଲେ ମାଆ , ମୋ କୁଳ ଦୀପ ଲିଭିବାରୁ ବଂଚିଯିବ । ସେପଟୁ ଆଉଜଣେ ପୁରୁଷ ଲୋକର ସ୍ୱର ଶୁଭା ଯାଉଥିଲା । ଯାହା ପଇସା ନେବେ ମୁଁ ଦେବାକୁ ପ୍ରସ୍ତୁତ । ହେଲେ ମନା କରନ୍ତୁନି । ଦୟାକରି ବ୍ଲଡ଼ ଦିଅନ୍ତୁ , ଏମିତ କେତେ କଣ ଅନୁନ୍ୟ ଭରା ଅନୁରୋଧ ସବୁ ସୋନାଲିର କାନରେ ଏ ପଟେ ପଶି ସେପଟେ ବାହାରି ଯାଉଥିଲା ।

“ବ୍ୟସ୍ତ ହୁଅନ୍ତୁନି, ଏବେ ଆପୋଲୋ ହସ୍ପିଟାଲକୁ ମୁଁ ଯାଉଛି , ପ୍ରାୟ ଅଧଘଣ୍ଟାଏରେ ପହଂଚିଯିବି । ଆପଣ ଅପରେସନ ପାଇଁ ପ୍ରସ୍ତୁତ ହୁଅନ୍ତୁ” କହି ଫୋନ ରଖିଲା ସୋନାଲି ।
ସାନଭାଇକୁ ଗାଡି କାଢ଼ିବାକୁ କହି ଡ୍ରେସ ପିନ୍ଧିଲା ସୋନାଲି । ଦର୍ପଣରେ ନିଜକୁ ଦେଖୁଥିଲା । କାନ ତଳୁ ବାଳ କିଛିଟା ଧଳା ହେଇ ଆସିଲାଣି ।ଆଖି ତଳେବି କୁଞ୍ଚ ସ୍ପଷ୍ଟ ଦେଖାଯାଉଛି ।ହଁ, ଯୌବନ ବିଦାୟ ନେବାର ଉପକ୍ରମ ।କିଏ ଜାଣେ ଭଗବାନ କେଁଉ ଜନ୍ମର ପାପର ଫଳ ତାକୁ ଏଜନ୍ମରେ ଦେଉଛନ୍ତି ।ରୂପ, ଗୁଣ,ଶିକ୍ଷାରେ ତାକୁ କେହି ବଳି ନାହାନ୍ତି । ତଥାପି ତାକୁ ଆଜି ଯାଏଁ ଶଙ୍ଖା ସିନ୍ଦୁରର ସୌଭାଗ୍ୟ ମିଳି ପାରିନି ।

କାରର ଖୋଲା ଝରକା ଦେଇ ଚେନାଏ ସୁଲୁସୁଳିଆ ପବନ ତା ମୁହଁରେ ଘଷି ହୋଇ ଚାଲିଗଲା ।ଅନେଇଲା ସେ ଖୋଲା ଆକାଶକୁ । ମିଞ୍ଜି ମିଞ୍ଜି ହୋଇ ଅନେକ ତାରା ନକ୍ଷତ୍ର ସବୁ ଦେଖାଯାଉଛଂତି ।ଏ ଗ୍ରହ ନକ୍ଷତ୍ର ମାନଂକୁ ସେ ଭାରି ଘୃଣା କରେ, କେବଳ ଜହ୍ନକୁ ଛାଡ଼ି । ଜହ୍ନକୁ ଖୋଜୁଥିଲା , ଅମାବାସ୍ୟା ବୋଧେ , ଆକାଶରେ ଜହ୍ନ କାହିଁ ଦେଖାଯାଉନି । ହସିଲା ମନେ ମନେ । ଜହ୍ନ ବିନା ଯେମିତି ଏ ଆକାଶ ଏକା ଏକା , ଗୋଟେ ସାଥି ବିନା ତାର ଜୀବନ ଏବ ସେଇଭଳି ନିସଙ୍ଗ ।ସାଥି କଥା ମନରେ ଆସିବା ମାତ୍ରେ ଗୋଟେ ଭୀରୁ ପୁରୁଷର ମୁହଁ ତା ଆଖି ଆଗରେ ନାଚିଉଠିଲା । ପ୍ରଶାନ୍ତ ମହାନ୍ତି , ତା ଜୀବନରେ ବହୁତ ସ୍ୱପ୍ନ ଭରି ଅଚାନକ କାପୁରୁଷ ଭଳି ଦୁରେଇ ଯାଇଛି । ସେ ଭୀରୁର ସ୍ମୃତିକୁ ତା ହୃଦୟରୁ କାଢି ଫିଙ୍ଗିବା ପାଇଁ ବହୁତ ଚେଷ୍ଟା କରିଛି । ଅନେକାଂଶ ରେ ସଫଳ ହେଇଚି । ଯେଉଁମାନେ ତା ଜୀବନରେ କିଛି ମୂଲ୍ୟ ରଖନ୍ତିନି , ସେମାନଂକୁ ମନେ ପକାଇ ଆଉ ସେ ତା ମନକୁ ଦୁଃଖ ଦେଉନି।

ଆପୋଲୋ ହସ୍ପିଟାଲର ପାଥୋଲୋଜି ୱାର୍ଡରେ ପହଂଚୁ ପହଂଚୁ ପରିଚିତ ନର୍ସଟି ବ୍ଲଡ଼ ଦେବା ପାଇଁ ଉଦିଷ୍ଟ କେବିନକୁ ନେଇଗଲା ।ବିରଳ ରକ୍ତ ତା ଧମନୀରେ ଚାଲୁଚି । ଏଇ ବର୍ଷ ଭିତରେ ସେ ତିନିଥର ରକ୍ତ ଦେଇସାରିଛି । ତେଣୁ ପରିଚିତ ହୋଇଯାଇଛି ନର୍ସ ମାନଂକ ସହ । ରକ୍ତ ନେଉ ନେଉ ନର୍ସଟି କହୁଥାଏ ମାଡାମ ଆପଣ ବହୁତ ପୁଣ୍ୟ କରୁଛନ୍ତି । ଗୋଟେ ପରିବା ସମ୍ପୂର୍ଣ ନଷ୍ଟ ହେଉ ହେଉ ଆପଣ ରକ୍ଷା କରିଦେଲେ । ଆଜିର ଏଇ ପେସେଣ୍ଟ ଅପଣଂକ ରକ୍ତ ପାଇଁ ହିଁ ବଂଚିଯିବ । ବିଚରା ସ୍ୱାମୀ ସ୍ତ୍ରୀ । ଦୁଇ ଜଣଂକର ଆକ୍ସିଡେଣ୍ଟ ହୋଇଥିଲା । ସ୍ତ୍ରୀଟି ଘଟଣାସ୍ଥଳରେ ମରିଯାଇଛି ।ତା ସହିତ ମରିଯାଇଛି ପେଟରେ ଥିବା ସାତ ମାସର ପିଲାଟି । ବୁଢା ବାପାମାଆଙ୍କୁ ଦେଖିଲେ ଆପଣ ଧର୍ଯ୍ୟ ଧରି ପାରିବେନି ।ଏମିତି ଦୁଃଖ ଭଗବାନ କାହାରିକୁ ନଦିଅନ୍ତୁ ।ଦୀର୍ଘଶ୍ୱାସ ଟିଏ ଛାଡ଼ି ସୋନାଲି ଭାବୁଥିଲା ହଁ ଭଗବାନ କାହାରିକୁ ଦୁଃଖ ନଦିଅନ୍ତୁ । ଦୁନିଆରେ କାହାର କେତେ ଦୁଃଖ । ଛାଡ଼, ମୋ ଦେଇ ଯାହା ହେଇପାରିବ ମୁଁ ସେତିକି କରିପାରିବି । ରକ୍ତ ଦେଇ ସାରି କେବିନରେ କିଛି ସମୟ ରେଷ୍ଟ କରି ଆପୋଲୋ ହସ୍ପିଟାଲର ସମ୍ମୁଖରେ ଥିବା ଲନରେ ଯାଇ ବସିଲା ।

ଭୋର ସମୟ, ସିନ୍ଦୁର ଫିଟୁଥିଲା । ଖୋଲା ଆକାଶ ତଳଟା ଭାରି ଭଲ ଲାଗୁଥିଲା ।ହଠାତ ଜଣେ ମଧ୍ୟବୟସ୍କ ଲୋକଙ୍କ ଉପରେ ତାର ନଜର ପଡିଲା ।ବ୍ୟସ୍ତ ବିବ୍ରତ ହୋଇ ରିସେପ୍ସନ ଝରକା ଆଗରେ ଠିଆ ହୋଇଥିଲେ । ନିରିଖେଇ ଦେଖିଲା ସେ ।ଆରେ ଏତ ମହାନ୍ତି ଅଙ୍କଲ , ପ୍ରଶାନ୍ତର ବାପା । ଏମିତି କାହିଁକି ବ୍ୟସ୍ତ ଆଉ ବିବ୍ରତ ?
ଛି … ଏ ପ୍ରଶାନ୍ତର ଭୁତ ମୋ ପିଛା କେବେ ଛାଡିବନି । ଯେତେ ଭୁଲିବାକୁ ଚେଷ୍ଟା କଲେ ବି ସମୟ ଅସମୟରେ ତା ମନର ଚଉହଦି ଭିତରକୁ ଅବାଧରେ ପ୍ରବେଶ କରିପାରୁଛି ।

କଲେଜ ଜୀବନରୁ ପ୍ରଶାନ୍ତ ସହ ତାର ପରିଚୟ , ପରିଚୟରୁ ବନ୍ଧୁତା , ବନ୍ଧୁତାରୁ ପ୍ରେମ ଏବଂ ଶେଷରେ ବିବାହର ପ୍ରତିଶୃତି । ବାଃ, କେଡେ ସୁଖମୟ ଥିଲା ସେଦିନ ଗୁଡିକ ।ସବୁ କିଛି ସୁରୁଖୁରରେ ହୋଇଯାଉଥିଲା ।ଦୁଇ ପରିବାରର ସମ୍ମତି କ୍ରମେ ବିବାହ ତିଥି ଧାର୍ଯ୍ୟ ହେଇଯାଇଥିଲା । ବାଜା ରୋଷଣୀ ନେଇ ମନର ମାନସୀକୁ ସବୁଦିନ ପାଇଁ ନିଜର କରିବା ପାଇଁ ପ୍ରଶାନ୍ତ ଘରୁ ବାହାରି ସାରିଥିଲେ । ଖାଲି ଅପେକ୍ଷା ଥିଲା ମଣ୍ଡପରେ ପହଁଚିଲେ ବିବାହ ସମ୍ପନ୍ନ ହେବ । ହେଲେ ପ୍ରଶାନ୍ତର ବାଜା ରୋଷଣୀ ରାସ୍ତାରେ ହିଁ ଅଟକି ଯାଇଥିଲା । କାରଣ ଥିଲା ମାତ୍ର ଗୋଟିଏ । କେଉଁ ସୂତ୍ରରୁ ପ୍ରଶାନ୍ତର ବାପା ମାଆ ଜାଣିଯାଇଥିଲେ ଯେ ସୋନାଲି କୁଆଡେ ଅମାବାସ୍ୟାରେ ଜନ୍ମ । ତେଣୁ ସେ ଗୋଟେ ଉଆଁସୀ କନ୍ୟା ।ଅନ୍ଧ ବିଶ୍ୱାସ ଏବଂ କୁସଂସ୍କାରରେ ପୀଡିତ ପ୍ରଶାନ୍ତର ପରିବାର ଏକଥାକୁ ବହୁତ ଗୁରୁତ୍ୱ ଦେଇଥିଲେ ।ଉଆଁସୀ କନ୍ୟା କାଳେ ସ୍ୱାମୀର ଜୀବନ ପାଇଁ ବହୁତ ବଡ଼ ବିପଦ । ଏକ ମାତ୍ର ସନ୍ତାନର ଭବିଷ୍ୟତ ପାଇଁ ସେ ଅଧା ରାସ୍ତାରୁ ହିଁ ଫେରିଗଲେ ।ଗୋଟେ ଉଆଁସୀକନ୍ୟାକୁ ମଙ୍ଗୁଳାଝିଅର ମାଳା ପିନ୍ଧାଇ ଗୋଟେ ନିରୀହ ଝିଅ ଜୀବନର ମୂଲ୍ୟ ତାଙ୍କ ସ୍ଵାର୍ଥ ଆଗରେ କିଛି ନଥିଲା ।

ସୋନାଲିର ବାପାମାଆ ବନ୍ଧୁ ପରିଜନଙ୍କ ଶତ ଅନୁରୋଧକୁ ଗୋଡ଼ରେ ଆଡେଇ ଦେଇ ଫେରିଗଲେ । ପ୍ରଥମରୁ ଜାତକ ରାଶିରେ ବିଶ୍ୱାସ କରୁନଥିବା ପ୍ରଶାନ୍ତ ଆଜ୍ଞାଧୀନ ପୁତ୍ର ଭାବେ ମାନି ନେଲେ ସବୁକିଛି ।ଉଆଁସୀ ତଥା ମଙ୍ଗୁଳା ଝିଅର ମାଳା ପିନ୍ଧି ସେ ରହିଗଲା ଅଭିଆଡ଼ି । ଅନାୟାସରେ ତାକୁ ଗୋଡ଼ରେ ଆଢେଇ ବେଶ ଖୁସିରେ ପ୍ରଶାନ୍ତ ଘରସଂସାର କଲେ ।

ଏମିତି ଭାବୁ ଭାବୁ କେତେବେଳେ ମହାନ୍ତି ଅଙ୍କଲଙ୍କ ପାଖରେ ସେ ପହଂଚି ଯାଇଥିଲା ସେ ନିଜେ ଜାଣେନି । ତାକୁ ଦେଖୁ ଦେଖୁ ମହାନ୍ତି ବାବୁ ପୁରା ଚିଲେଇ ଉଠିଲେ । ତୁ କେମିତି ଖବର ପାଇଲୁ ? କାହିଁକି ମୋ ପୁଅ ପିଛା ଛାଡ଼ୁନୁ? ଦେଖିବାକୁ ଆସିଚୁ ସେ କେମିତି ଆଜି ଜୀବନ ମରଣ ସହ ଲଢ଼ୁଛି । ମୋ ପୁଅ ତଥା ମୋ ପରିବାରର ପିଛା ଛାଡ଼ ।ଚାଲିଯା ଏଠୁ ଖବରଦାର ,ତୋର ଅଲକ୍ଷଣୀ ମୁହଁର ଛାଇ ମୋପୁଅ ପାଖରେ ଯେମିତି ନପଡେ ।


ନିର୍ବାକ ନିସ୍ତବ୍ଧ ସୋନାଲି ସେଇଠି ଅଟକିଗଲା । ମହାନ୍ତି ଅଙ୍କଲଙ୍କ କଥା ଶୁଣି ପାଦ ତାର ପଥର ପାଲଟି ଯାଉଥିଲା । ଇଛା ହେଉଥିଲା କହିଦିଅନ୍ତା ମୁଁ ଏଠି ଆପଣଙ୍କ ପୁଅ ପାଇଁ ଆସିନାହିଁ । କିନ୍ତୁ କାହିଁକି କେଜାଣି ଗୋଟେ ସଂସ୍କାର ତାକୁ ବାଧା ଦେଲା । ପଛକୁ ଫେରି ଯିବାକୁ ବାହାରିଲା ବେଳେ ରକ୍ତ ନେଇଥିବା ନର୍ସ ଜଣକ ଦେଖା ହେଇଗଲେ । ନର୍ସ ଜଣକ ଖୁସିରେ ସୋନାଲିର ହାତ ଧରି କହିଲେ ଧନ୍ୟବାଦ ମାଡାମ । ଆପଣ ସତରେ ଜଣେ ଦେବୀ , ଆପଣଙ୍କ ରକ୍ତ ପାଇଁ ଏଇ ମଉସାଙ୍କର ପୁଅ ଆଜି ନୂଆ ଜୀବନ ପାଇଗଲେ । ଭଗବାନ ଆପଣଂକୁ ସତରେ କେତେ ଜୀବନ ବଂଚେଇବାକୁ ଏ ପୃଥିବୀରେ ଜନ୍ମ ଦେଇଛନ୍ତି ସେହିଁ ଜାଣନ୍ତି ।

ଏଥର କିନ୍ତୁ ପଛକୁ ବୁଲି ଅନେଇଲା ସୋନାଲି ।ଗୋଟେ ଅସହାୟ ପରାସ୍ତ ବାପା ଠିଆ ହୋଇଥିଲେ ତା ଆଗରେ । ବିନମ୍ର ଭାବେ କହିଲା “ ଅଙ୍କଲ ମୋ ଗ୍ରହ, ନକ୍ଷତ୍ର ଅବା ଜାତକ ଅଶୁଭ ହୋଇପାରେ , ହେଲେ ମୋ ରକ୍ତ ନୁହେଁ । ଯଦି ଗୋଟେ ଉଆଁସୀ କନ୍ୟା ତା ସ୍ୱାମୀ ପାଇଁ ମୃତ୍ୟୁର କାରଣ ତେବେ ଆଜି ଆପଣଙ୍କ ବୋହୁ ଆଉ ତା ଗର୍ଭର ପିଲାର ମୃତ୍ୟୁର କାରଣ କିଏ ? ମହେନ୍ଦ୍ର ବେଳା ଆଉ ଶୁଭ ଜାତକରେ ଜନ୍ମିତ ଆପଣଙ୍କ ପୁଅ ନୁହେଁତ ? ଉତ୍ତରକୁ ଅପେକ୍ଷା ନକରି ସୋନାଲି ଏକ ମୁହାଁ ହୋଇ ଗାଡିରେ ବସିଲା । କାରଣ ସେ ଜାଣିଥିଲା ଏ ପ୍ରଶ୍ନର ଉତ୍ତର ନା ମହାନ୍ତି ଅଙ୍କଲ ପାଖରେ ଅଛି ନା କୁସଂସ୍କାର ଆଉ ଅନ୍ଧବିଶ୍ୱାସରେ ବୁଡି ରହିଥିବା ସମାଜରେ ତଥାକଥିତ ପୁତ୍ର ଲୋଭି ବାପା ମାଆ ମାନଙ୍କ ପାଖରେ ।

ସୁଜିତ୍ କୁମାର ମହାପାତ୍ର ଫୋନ:୯୪୩୭୨୬୪୧୪୩

Leave A Reply

Your email address will not be published.