ବିବାହ ପୂର୍ବର ସମ୍ପର୍କ….

0
Bocca 728*90

ଆଜିକୁ ଠିକ ସାତଦିନ ରହିଲା ।ଦିନ ପାଖେଇ ଆସୁଛି । ସବୁ କିଣା କିଣି ବି ସରିଛି । ନିର୍ବନ୍ଧ କାମଟା ସରିଗଲେ ବାହାଘର ପାଇଁ ପୁଣି ଅଣ୍ଟା ଭିଡ଼ିବାକୁ ହେବ ।ଗୋଟିଏ ବୋଲି ଭାଇର ବାହାଘର । ଘରର  ଶେଷ ମାଙ୍ଗଳିକ କାମ । ହେଲେ ସେଦିନ ରାତି ପ୍ରାୟ ଦଶଟା ହେବ । ଗୋଟେ ଅଜଣା ଫୋନ ନମ୍ବରରୁ, ଘର ମୋଵାଇଲକୁ ଫୋନ ଆସିଲା ।ବାରମ୍ବାର ଫୋନଟି ଆସିବାରୁ, ଘଟଣାଟିର ଛାନବିନ କରିବାକୁ ବାଧ୍ୟ ହେଲେ ଘର ଲୋକେ ।ଶେଷରେ ଜଣାଗଲା ସେ ପିଲାଟି ହେଲା  ବାହାଘର ଲାଗିଥିବା ଝିଅର ବୟ ଫ୍ରେଣ୍ଡ ।ଦେଢ଼ ବର୍ଷର ସି.ଡ଼ି.ଆର ରିପୋର୍ଟ କାଢ଼ିବାରୁ ଜଣାଗଲା ଝିଅଟି ପ୍ରତିଦିନ ରାତି ଏଗାରଟା ସାଢେ ଏଗାରଟା ଠାରୁ ରାତି ଦୁଇଟା ସାଢେ ଦୁଇଟା ଯାଏ ଫୋନରେ ଗପୁଛି ।ପୁଅଟି ପାଖରୁ ଝିଅଟିର ଆକାଉଣ୍ଟକୁ ପ୍ରାୟତଃ ଉଚ୍ଚ ଅଙ୍କର ଟଙ୍କା ଆସୁଛି ।ଏସବୁ ଜାଣି ସାରି ଝିଅ ଟିକୁ ପଚାରିବାରୁ ସେ ଏହାକୁ ସ୍ୱୀକାର କରୁନଥିଲା । ତେବେ  ନିଜ ବାପାଙ୍କ ଫୋନରୁ ନିଜ ଭାବି ସ୍ୱାମୀଙ୍କ ପିତାଙ୍କ ଫୋନ ନମ୍ବର ଆଣି ଦେଇ ଫୋନ କରିବାର କାରଣ କଣ? ଯଦି ମନ ଜଣଙ୍କ ପାଖରେ ତେବେ ଏସବୁ ଆରମ୍ଭ କରିବା ପୂର୍ବରୁ ଘରେ ଜଣାଇବା ଉଚିତ  ନୁହେଁ କି ! ତାପରେ ଯଦି ବାପା ମା ଯିଏ ଜନ୍ମ ଦେଇ ବଢ଼ାଇଲେ ତାଙ୍କୁ ନିଜ ମନ କଥା, ସୁବିଧା ଅସୁବିଧା କହି ନପାରିବ ତେବେ କାହାକୁ କହିବ? ନିଜ ବାପା ମା ଙ୍କ ଠାରୁ ଏଇ କେତେ ବର୍ଷ ହେବ ମିଶିଥିବା ପିଲାଟି ଏତେ ନିଜର ହୋଇଗଲା ଯେ ତାକୁ ଏ ବିଷୟରେ କୁହାଯାଇ ନିଷ୍ପତ୍ତି ନିଆଯାଉଛି! ବଡ଼ ତାଯୁବ କଥା! ଉପରୋକ୍ତ ଘଟଣା ତ’ ନିର୍ବନ୍ଧ ପୂର୍ବରୁ ଭାଙ୍ଗିଗଲା  । ହେଲେ ଏବେ ତ ପରିସ୍ଥିତି ଏପରି ହେଲାଣିଯେ ବାହାଘର ଦିନ, ବାହାଘର ପରେ ଚତୁର୍ଥୀ ଭୋଜି ଦିନ, କି ସପ୍ତମଙ୍ଗଳାରେ ବାପ ଘରକୁ ବୁଲି ଆସିଲା ବେଳେ ପୁରୁଣା ପ୍ରେମିକ ସଙ୍ଗେ ଲୁଚି  ପଳେଇ ଯାଉଛନ୍ତି । ଏହା ସମଗ୍ର ନାରୀ ଜାତି ପାଇଁ ଏକ କଳଙ୍କ ସଦୃଶ ନୁହେଁକି? ନୀଚ୍ଚ  ସ୍ୱାର୍ଥରେ  ଅନ୍ଧ ହୋଇ, କାମନା ର ବଶବର୍ତ୍ତୀ ହୋଇ ଧୀରେ ଧୀରେ ନାରୀ ସମାଜରେ ତାର ମର୍ଯ୍ୟାଦା ନିଜେ ହରାଉଛି ।
ଏଠି ପ୍ରଶ୍ନ ଉଠେ ଯଦି ଏତେ ପରିମାଣରେ ପ୍ରିୟତମ ପ୍ରତି ଆଶକ୍ତ ତେବେ କଣ ପାଇଁ ଏତେବାଟ କଥା ଯିବାକୁ ଦିଆଯାଉଛି ।

ପୌରାଣିକ ଯୁଗରୁ ପ୍ରେମ ବିବାହକୁ ଆମ ସମାଜ ସ୍ୱୀକୃତି ଦେଇଛି । ପ୍ରେମ ପବିତ୍ର, ତେଣୁ ପ୍ରେମ ପରି ଅମଡ଼ା ବାଟର ଯାତ୍ରୀ ଦେଉଛ ପୁଣି ଏତିକି ସାହସ ନାହିଁ ତାକୁ ପାଇବାକୁ ଆସୁଥିଵା ପ୍ରତିବନ୍ଧକକୁ ପ୍ରତିରୋଧ କରିବାକୁ? ଅନ୍ୟ ପକ୍ଷରେ  ଆଜି ଏକ ବିଂଶ ଶତାବ୍ଦୀରେ ଯେଉଁଠି ସମସ୍ତଙ୍କୁ ନିଜର ମନ କଥା କହିବାର, ନିଜ ହକ ସାବ୍ୟସ୍ତ କରିବାର ପୂର୍ଣ୍ଣ ଅଧିକାର ଅଛି, ସେଠି ପିଲାମାନଙ୍କୁ ନପଚାରି ବିବାହ ପରି ଜୀବନର ଏକ ମହତ୍ତ୍ୱପୂର୍ଣ୍ଣ ଅନୁଷ୍ଠାନର ନିର୍ଣ୍ଣୟ କେମିତି ପିତା ମାତା  ଏକଚାଟିଆ ଭାବେ ନେଇ ଅନେକ ଗୁଡିଏ ସମସ୍ୟାକୁ ଅଚିରେ ଡାକି ଆଣୁଛନ୍ତି! ପିତା ମାତା ଭୁଲି ଯାଉଛନ୍ତି ଯେ ଝିଅ ସ୍ୱଚ୍ଛନ୍ଦରେ ଚଳିବା ଅପେକ୍ଷା, କେତେ ଦୂର ନିଜ ମନ ଢାଳି ନିଜ ହାତରେ ଲିପି ପୋଛି ନିଜ ଘର ସଜାଡି ପାରୁଛି । ଆଉ ଦୁଇଟା ମନ ଏକାଠି ହେଲେ ସିନା ଘର । ଯେଉଁଠି ଦୁଇ ମନ ଭିତରେ ଆକାଶ ପାତାଳ ଫରକ ସେଠି ଘର କଣ? ସେଠି ବୁଝାମଣା ଆସିବ କେଉଁଠୁ!
ଏଠି ପୁଣି ପ୍ରଶ୍ନ ଉଠେ ଝିଅ ଯେତେବେଳେ ବଡ ହୁଏ ସେ ଘରୁ ଏତେ ସମୟ କେଉଁଆଡେ ଗଲା, କାହା ସହ ଏତେ ସମୟ କଥା ହେଉଛି, କାହା ସହ ବୁଲୁଛି ଏସବୁ ଉପରେ  ଆଖି ରଖିବା ମୁରବି ହିସାବରେ ବାପା ମା’ ଙ୍କ କାମ । ଆଉ ରାତି ସାରା ଅନିଦ୍ରା, ଦେଖିଲା ବେଳକୁ ମୁରୁରା ମୁହଁ ମେଲା ପରି, ନେଡ଼ି ଗୁଡ କହୁଣୀକୁ ବୋହିଗଲାପରେ ଆଉ କିଛି କରିହୁଏନି । ସ୍କୁଲ, କଲେଜ ଵା ଅଫିସ  ପରେ ରାସ୍ତାରେ ଠିଆ ହୋଇ ଗପିବା, କେଉଁ ରେସଟୁରାଣ୍ଟ ଵା ପାର୍କରେ ମୁହଁ ଯୋଡ଼ା ଯୋଡି ହୋଇ ଗପିବା ଏବେ ସବୁଠି ସହଜରେ ଦୃଶ୍ୟମାନ ହେଉଛି । କେତୋଟି  ସମ୍ବେଦନଶୀଳ ଦୃଶ୍ୟ ମଧ୍ୟ ଜଣାଶୁଣା ଗୋପନୀୟତା (known secret ) ପରି ସର୍ବ ସାଧାରଣରେ ପ୍ରେମିକା ପ୍ରେମିକ ମାନେ ପାରିବେଶିତ କରୁଛନ୍ତି ଯାହା ଦୃଷ୍ଟି କଟୁ ହେଉଛି ।


ଗପିବା କଥା ରୁ ମୋର ମନେ ପଡିଲା ବାଣୀବିହାର ରେ ପଢିବା ବେଳେ ପୁଅ ଝିଅ ବାହାରେ  ଗପି ଗପି ଗପ ସରି ନଥାଏ ଯେ ପୁଣି ହଷ୍ଟେଲ ଗେଟ ଏପଟେ ସେପଟେ ଠିଆ ହୋଇ ବିଳମ୍ବିତ ରାତି ଯାଏ ଗପ ଚାଲୁଥାଏ, ଗେଟ ପାଖରେ ଜଗୁଥିବା ଭାଇନା ଜଣଙ୍କ ଗେଟ ବାଡେଇ ବାଡେଇ ନ  ଚେତାଇବା  ଯାଏ । ଥରେ ଜଣଙ୍କୁ ପଚାରିଲି କଣ ଏତେ ସବୁଦିନ ଗପୁଛ, ଏ ଗପର ବିଷୟବସ୍ତୁ ସବୁ କଣ? ଯଦି ନିଜ ଜୀବନ ବିଷୟରେ ପ୍ଲାନ କରୁଥିବ ତେବେ ଦିନେ ଦି ଦିନରେ ତ ସରିଯିବ । ସେ ମୋତେ ତା ପର ଦିନ ଡାକିଥିଲା ଶୁଣିବାକୁ ସେମାନେ କଣ ଗପୁଛନ୍ତି । ଦୁହେଁ ମୋର ଚିହ୍ନା ହୋଇଥିବାରୁ ମୁଁ ଯାଇଥିଲି ।ଭାବିଲି ଏତେ ଯଦି ଗପୁଛନ୍ତି, ଆଗରୁ ଜଣେ ଜଣଙ୍କୁ ଜାଣୁଛନ୍ତି ତେବେ  ଆଗାମୀ ଯୁଗ୍ମ ଜୀବନରେ,  କିଛି ସେମାନଙ୍କ ର ମନୋମାଳିନ୍ୟ ହେବନି । ଖୁବ ସ୍ୱଚ୍ଛନ୍ଦ ରେ ଯିବ ଜୀବନ । ହେଲେ ଅତି ମିଶିବା ହେତୁ କେତେ କଳିକା ଅକାଳରେ ଝରି ଯାଉଛନ୍ତି ତାର ହିସାବ ନାହିଁ ।ଏଠି ପୁଣି ପ୍ରଶ୍ନ ଆସେ ଝିଅ ମାନେ କଣ ଏବେ ଏତେ ମାନସିକ ସ୍ତରରେ ଦୁର୍ବଳ ଯେ ଜୀବନର ପ୍ରାରମ୍ଭରୁ ସାଥୀ ବିନା ଆଗକୁ ବଢ଼ି ପାରୁନାହାନ୍ତି ।ଯଦି ନାରୀ ସ୍ୱାଧୀନତା ଉପରେ ଏତେ ସ୍ଲୋଗାନ ଦିଆଯାଉଛି  ତେବେ ନିଜର ସମୁଚ ଭବିଷ୍ୟତର ସ୍ୱଚ୍ଛଳତା ପାଇଁ ମନୋନିବେଶ ନକରି କାହିଁକି ନିଜର ଅସହାୟତା ର ଗୋପନ ଗଣ୍ଠି ନିଜ ଯୌବନର ସାଥୀ ଆଗେ ଖୋଲି ଖୋଲି ସହାୟତା ପାଇବା ପରିବର୍ତ୍ତେ ନିଜକୁ ଅସହାୟ ବୋଲି ପ୍ରମାଣ କରି, ନିଜ ବ୍ୟକ୍ତିତ୍ୱର ଆମର୍ଯ୍ୟାଦା କରୁଛନ୍ତି!  ବେଳେ ବେଳେ ଅନ୍ତରଙ୍ଗ ସମ୍ପର୍କ ସେମାନଙ୍କୁ ନାରୀ ଜୀବନ ର ଅନ୍ୟ ଏକ ସ୍ତର( ଅବିବାହିତ ମା ) ଯାହା ବିବାହ ପୂର୍ବରୁ ଗ୍ରହଣୀୟ ନୁହେଁ ତାହା ଅସମାହିତ ବିପଦ ଆଡକୁ ଟାଣିନିଏ ଯାହା ତା ଜୀବନକୁ କେବଳ ବିପନ୍ନ କରେନି ବେଳେ ମୃତ୍ୟୁ ମୁଖକୁ ଟାଣି ନିଏ ।ଏସବୁ ପରେ ଯଦି ପ୍ରେମ ପରେ ବିବାହ  ହୁଏ, ସବୁ ବିବାହର ପରିଣତି ସମାନ ତେଣୁ କାହିଁକି ନିଜ କୁ ତଳକୁ ଖସାଇବା । ସମସ୍ତେ ଜାଣନ୍ତି ତଳକୁ ଖସିବାର ରାସ୍ତା ସବୁବେଳେ ସହଜ ଓ ଶସ୍ତା ।ଉପରକୁ ଉଠିବାର ରାସ୍ତା ପରି ବନ୍ଧୁର ନୁହେଁ ।  କିନ୍ତୁ ଝିଅଟିଏ ପାଇଁ, ନାରୀଟିଏ  ପାଇଁ ପାଦେ ପାଦେ ପରୀକ୍ଷା । ପ୍ରତି ମୁହୂର୍ତ୍ତରେ ତା ସହ ତା ପିତା ମାତା ଙ୍କ ସମ୍ମାନ , ତା ସଂସ୍କାର  ତା ପିଛା ଛାଡେନି ।  ଓଢଣାତଳୁ ସବୁବେଳେ ମୁହଁଟି ସୁନ୍ଦର ଦିଶେ । ଜଣେ କଣ ଜଣକୁ  ସବୁବେଳେ ଜଗିପାରିବ? ବଡ ହେଲା ପରେ ନିଜର ଭଲ, ମନ୍ଦ, ଭୁଲ, ଠିକ ର ଦାୟୀତ୍ୱ ନିଜେ ବିଚାର କରି ନିଜର ଅତୀତ,ବର୍ତ୍ତମାନ ଓ ଭବିଷ୍ୟତ କୁ ଗଢିବାର ଦାୟୀତ୍ୱ ଜଣେ ଯୁବତୀ ନିଜେ ନେଵା ଉଚିତ, ଯାହା ନିଜ ପରିବାର ଓ ସମାଜ ପାଇଁ କଳଙ୍କର ଟିକା ନ ପିନ୍ଧାଉ ।

ଅନସୂୟା ପଣ୍ଡା,କାର୍ଡଗୁଡ଼ି, ବାଙ୍ଗାଲୋର
Leave A Reply

Your email address will not be published.