ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପହିଲି ଭୋଗ

0

ବିଶ୍ୱ ପ୍ରସିଦ୍ଧ ଶ୍ରୀଜଗନ୍ନାଥ ମନ୍ଦିରରେ ସକଳ ପ୍ରକାର ନୀତି, ପର୍ବ ପର୍ବାଣି, ଉତ୍ସବ ଇତ୍ୟାଦି ବର୍ଷର ବିଭିନ୍ନ ସମୟରେ ପାଳିତ ହେବା ସଂଗେ ସଂଗେ ଅନେକ ପ୍ରକାର ଭୋଗ ଦ୍ରବ୍ୟ ପ୍ରସ୍ତୁତ ହୋଇ ରତ୍ନସିଂହାସନରେ ଅଧିଷ୍ଠିତ ମହାପ୍ରଭୁଙ୍କୁ ସମର୍ପିତ ହୋଇଥାଏ । ପୌରାଣିକ ମତ ଅନୁଯାୟୀ, ଭାରତର ଚାରିଧାମ ମଧ୍ୟରୁ ‘ଶ୍ରୀକ୍ଷେତ୍ର’ ପରଂବ୍ରହ୍ମଙ୍କର ଭୋଜନ ଧାମ ଭାବରେ ସୁବିଦିତ । ଏହି କ୍ଷେତ୍ରରେ ଭୋଗର ପ୍ରାଧାନ୍ୟ ରହିଛି । ବିଭିନ୍ନ ଯାନିଯାତ୍ରାରେ ସ୍ୱତନ୍ତ୍ର ଭୋଗର ବ୍ୟବସ୍ଥା ମଧ୍ୟ ରହିଛି । ସେଥିପାଇଁ ଯଥାର୍ଥରେ କୁହାଯାଇଛି –
‘ବଡ଼ ଦେଉଳ ରେ ଲାଗିଛି ନାଟ,
ନିଇତି ପୁନିଅ ନିଇତି ହାଟ’

ଶ୍ରୀ ଜଗନ୍ନାଥଙ୍କ ସେବାରେ ଶୃଙ୍ଗାର, ବୀର, ବାତ୍ସଲ୍ୟାଦି ସମସ୍ତ ରସ ର ସେବା ଭାବ ରହିଥାଏ । ତନ୍ମଧ୍ୟରୁ, ଧନୁ ସଂକ୍ରାନ୍ତି ଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ବାତ୍ସଲ୍ୟ ରସ ଉପାସନାର ସମୟ । ଧନୁ ସଂକ୍ରାନ୍ତି ଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଥାଏ ଶ୍ରୀଜୀଉଙ୍କ ପହିଲି ଭୋଗ ନୀତି। ସକାଳୁ ସକାଳୁ କୁଆ କା’ କହିବା ପୂର୍ବରୁ, ମହାପ୍ରଭୁଙ୍କ ପାଖରେ ଲାଗି ହୋଇଥାଏ ପହିଲି ଭୋଗ । ରାମ କୃଷ୍ଣ ବେନିଭାଇଙ୍କୁ ଖୁଆଇ ଦେଇଥାନ୍ତି ମାଆ ଯଶୋଦା । ସେଥିପାଇଁ, ଶ୍ରୀମନ୍ଦିର ମହାପ୍ରଭୁଙ୍କ ସଅଳ ନୀତିକାନ୍ତି ହୋଇଥାଏ । ମାସେ ଯାଏଁ ଶ୍ରୀଜୀଉଙ୍କୁ ଅର୍ପଣ ହୋଇଥାଏ ପହିଲି ଭୋଗ । ମାଆଙ୍କ ହାତରନ୍ଧା ଖାଦ୍ୟ ଖାଇଥାନ୍ତି ମହାପ୍ରଭୁ । କଥିତ ଅଛି ଯେ, ଏହି ମାସରେ ମହାଲକ୍ଷ୍ମୀ ବାପଘର ଯାତ୍ରା କରିଥାନ୍ତି । ଏଣୁ ବାତ୍ସଲ୍ୟ ମମତାମୟୀ ମା’ ଯଶୋଦା ଶ୍ରୀଜଗନ୍ନାଥଙ୍କୁ ପ୍ରଭାତରୁ ଶୀଘ୍ର ରୋଷଇ କରି ବିଭିନ୍ନ ପ୍ରକାରର ବ୍ୟଞ୍ଜନ ସହିତ ଅନ୍ନ ଶୀତ ସମୟରେ ଗରମ ଗରମ ଖାଇବାକୁ ଦେଇଥାନ୍ତି । ଏଣୁ, ଏହି ଭୋଗ ମା’ ଯଶୋଦାଙ୍କ ପୁତ୍ର ପ୍ରତି ବାତ୍ସଲ୍ୟ ସ୍ନେହ ଓ ନୈସର୍ଗିକ ପ୍ରେମର ନିଦର୍ଶନ । ସେଥିପାଇଁ ଏହି ପହିଲି ଭୋଗର ବ୍ୟବସ୍ଥା ଚଳିଆସିଛି ।

ପୌରାଣିକ ଆଖ୍ୟାନ ଅନୁଯାୟୀ ଏକଦା ଦ୍ୱାରକାରେ ଶ୍ରୀକୃଷ୍ଣ ମାତା ଯଶୋଦାଙ୍କ ସ୍ମୁର୍ତ୍ତିରେ ବ୍ୟାକୁଳିତ ହୋଇ ବାଳ ଗୋପାଳ ରୂପ ଧାରଣ କରିଥିବା ବେଳେ ନାରଦ ସେଠାରେ ଉପସ୍ଥିତ ହୋଇ ତାହାର ରହସ୍ୟ ଜିଜ୍ଞାସା କରିଥିଲେ । ଉତ୍ତରରେ ଶ୍ରୀକୃଷ୍ଣଙ୍କ ଦ୍ୱାରା ପ୍ରେରିତ ହୋଇ ନାରଦ ଗୋପପୁରରେ ଉପସ୍ଥିତ ହେଲେ । କୃଷ୍ଣ ବଳରାମ ଦୁଇ ଭାଇଙ୍କୁ ଯଶୋଦାଙ୍କ କୋଳରେ ବସି ନାନା ସୁମିଷ୍ଟ ଦ୍ରବ୍ୟ ଆନନ୍ଦରେ ଭୋଜନ କରୁଥିବାର ଦେଖିଲେ । ଶ୍ରୀଜଗନ୍ନାଥଙ୍କ ପହିଲି ଭୋଗ ଏହାର ସ୍ମାରକି । ସ୍କନ୍ଦପୁରାଣରେ ବା ଶ୍ରୀମନ୍ଦିରର ବିଭିନ୍ନ ପର୍ବପର୍ବାଣିର ବର୍ଣ୍ଣନା କରାଯାଇଥିବା ବାମଦେବ ସଂହିତା ଓ ନୀଳାଦ୍ରି ମହୋଦୟ ମଧ୍ୟ ପହିଲି ଭୋଗର କୌଣସି ବିବରଣୀ ନାହିଁ । ଏଥିରୁ, ଅନୁମତି ହୁଏ ଯେ ପହିଲି ଭୋଗର ପ୍ରଚଳନ ଅର୍ବାଚୀନ କାଳରେ ହୋଇଛି । ଏହା ଖ୍ରୀଷ୍ଟୀୟ ୧୬ଶ ଶତାଦ୍ଦୀରେ ପ୍ରଚଳିତ ଥିବାର ଜଣାପଡେ । ଏହାପରେ ସକାଳ ଧୂପ ହୋଇ ସାହାଣ ମେଲା ସାହାଣମେଲା ଦର୍ଶନ ହୁଏ । ମଧ୍ୟରାତ୍ର ସୁଦ୍ଧା ପହୁଡ ହୁଏ । ପରମ୍ପରାନୁସାରେ, ଧନୁ ସଂକ୍ରାନ୍ତିରେ ବଡଓଡିଆ ମଠରୁ ଠାକୁରଙ୍କ ଭୋଗପାଇଁ ମୂଆଁ ଆସିଥାଏ ।

ଶ୍ରୀମନ୍ଦିରରେ ଧନୁ ସଂକ୍ରାନ୍ତି ଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ସକାଳ ର ଗୋପଳବଲ୍ଲଭ ଭୋଗ ନୀତି ସହିତ ‘ପହିଲିଭୋଗ’ ନୀତି ଅନୁଷ୍ଠିତ ହୋଇଥାଏ । ଏହି ଦିନମାନଙ୍କରେ ରାତ୍ର ଦୁଇ ଘଡି ଥାଇ ଦ୍ୱାର ଫିଟା ନୀତି, ମଙ୍ଗଳ ଆଳତି, ଅବକାଶ ହୁଏ । ତାହା ପରେ ଘୋଡ ଓ ଅଳଙ୍କାର ଲାଗି ହୋଇ ବେଶ ହୋଇଥାଏ । ତତ୍ପରେ, ଭିତର ବାହାର ଶୋଧ ହୋଇ ଅଣସରପିଣ୍ଡି ଠାରେ ଗୋପଳବଲ୍ଲଭ ଭୋଗ ବଢାଯାଇଥାଏ । ଏହାପରେ ଅହ୍ମୁଣିଆ ପାଣି ପଡିବା ଉତ୍ତାରୁ ପହିଲି ଭୋଗ ଛେକ ଆସିବା ପାଇଁ ଭୋଗ ଡାକିଯାଏ । ଏହି ଭୋଗରେ ବିରି ଓ ଗହମରେ ଘୃତପାକ ହୋଇଥିବା ପିଠାମାନ ଅଣାଯାଇ ପଞ୍ଚୋପଚାରରେ ପୂଜା କରାଯାଇଥାଏ । ପହିଲି ଭୋଗରେ ଲାଗୁଥିବା ପିଠା ଗୁଡିକ ହେଉଛି- ‘ବଡ଼ ଝିଲି, ଦରସୁଆ ବଡି, ଦରସୁଆ ଝିଲି, ବଡ଼ ବଡ଼ା, କାକେରି, ସାନ ଅମାଲୁ, ନଳୀ, କାକେରା, ଆରିସା, ମୁଗେଇ, ଏଣ୍ଡୁରି, ଲଡୁ, ଗଜା, ଖଇର ଚୁଳ, ମଣ୍ଡା, ଚୁଡା ପୁଆ, ବଡ଼ି, କଣ୍ଟେଇ ପ୍ରଭୃତି । ଶ୍ରୀମନ୍ଦିର ସ୍ୱତ୍ତ୍ୱଲିପିରେ ଏହାର ପରିମାଣ ମଧ୍ୟ ଉଲ୍ଲେଖ କରାଯାଇଛି । ଏହି ସବୁ ଦ୍ରବ୍ୟ ପାକ କରିବାକୁ ସୁବିଧା ହେବା ପାଇଁ ଏହି ଦିନମାନଙ୍କରେ ମଂଗଳ ଆଳତି ପରେ ହିଁ ରୋଷ ହୋମ ଅନୁଷ୍ଠିତ ହୋଇଥାଏ ।


ଲୋକବିଶ୍ୱାସରେ ମା’ ଲଷ୍ମୀ ଏହି ମାସଟି ନିଜର ବାପଘରେ କାଟନ୍ତି । ପୌଷ ମାସରେ ବୋହୂ ନିଜର ବାପ ଘରକୁ ଯିବାର ଚଳଣୀ ଓଡ଼ିଆ ଘର ମାନଙ୍କରେ ରହିଛି ।ତେଣୁ ମା’ ବ୍ୟଗ୍ର ହୋଇ ନିଜ ପୁଅଝିଅଙ୍କୁ ଶୀତରେ ସକାଳଟାରୁ ଗରମ ଗରମ ଖାଦ୍ୟ ଖୁଆଇ ଦିଅନ୍ତି । ଏହି ପହିଲି ଭୋଗ ବଢା ଭାତର ସ୍ମୃତି କୁ ମନେ ପକାଇଦିଏ ।

କାଳିଆ ପାଖରେ ଲାଗି ହେଉଛି ପହିଲି ଭୋଗ । ଏ ଭୋଗ ଯାହା ଭାଗ୍ୟରେ ଥିବ ତାକୁ ମିଳିବ। କାଳିଆର ଡୋରି ନ ଲାଗିଲେ ପତ୍ରଟିଏ ତ ହଲିବନି ।

କୁମାର ଭୀମସେନ
Leave A Reply

Your email address will not be published.