ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ଼ ଓ ଭୁବନେଶ୍ୱର ମହାନଗର ନିଗମ ମିଳିତ ଆନୁକୂଲ୍ୟରେ ସାଇକେଲ ଚାଳକ ମାନଙ୍କୁ ଉତ୍ସାହିତ କରିବା ପାଇଁ ପୁଣିଥରେ ‘ମୋ ସାଇକେଲ ‘ ଯୋଜନାକୁ କାର୍ଯ୍ୟକାରୀ କରାଯିବ ବୋଲି ଶୁଣାଯାଉଛି ।ପୂର୍ବେ ୩ ପ୍ରକାର ସାଇକେଲ ଚଲେଇବା ପାଇଁ ୩ ପ୍ରକାର ଭିନ୍ନ ଆପ୍ପ ଥିଲା, କିନ୍ତୁ ଏବେ କେବଳ ଗୋଟିଏ ଆପ୍ ବ୍ୟବହାର କରି ଚାଳକ ମାନେ ୩ ଟି କମ୍ପାନୀର ସାଇକେଲ ଚଢ଼ି ପାରିବେ । ଆଗରୁ ବ୍ୟବହାର କରାଯାଉଥିବା ୨ooo ସାଇକେଲ ମଧ୍ୟରୁ ଯାହା ଖରାପ ହୋଇଯାଇଛି ତାକୁ ମରାମତି ଏବଂ ପୁନଃରୁଦ୍ଧାର କରାଯାଇ ବ୍ୟବହାର ଉପଯୋଗୀ କରାଯାଇ ପାରିବେ ବୋଲି କୁହାଯାଇଛି । ପବ୍ଲିକ ବାଇ ସାଇକେଲ କୁ ଅଧିକ ଆଦୃତ କରିବାକୁ ଯାଇ ଶିଶୁଭବନ ଛକରୁ ବାଣୀବିହାର ପର୍ଯ୍ୟନ୍ତ ଏବଂ ପଟିଆ ଛକରୁ ଇନ୍ଫୋସିଟି ଦେଇ କିଟ୍ ପର୍ଯ୍ୟନ୍ତ ସାଇକେଲ ଟ୍ରାକ୍ର ଉନ୍ନତି କରିବା ଏବଂ ଅଧିକ ରୁ ଅଧିକ ସାଇକେଲ ବ୍ୟବହାର ପାଇଁ ପଦକ୍ଷେପ ନିଆଯିବ । ଏବେ ଦିନକୁ ଦିନ ସାଇକେଲ ଚାଳକ ଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଲୋକ ସ୍ୱାସ୍ଥ୍ୟ ଏବଂ ରୋଗମୁକ୍ତ ଜୀବନ ଶୈଳୀ କୁ ଆପଣେଇ ନେବାକୁ ଯାଇ ବେଶୀ ରୁ ବେଶୀ ସାଇକେଲ ବ୍ୟବହାର କରିବା ଦେଖା ଯାଉଛି । ଗତ ୨o୨o ରେ ଲକଡାଉନ ଏବଂ ସଟଡାଉନ ବେଳେ ବହୁତ ଲୋକ ସାଇକେଲ କିଣିଛନ୍ତି ଏବଂ ସାଇକେଲ ରେ ଯିବାଆସିବା କରିବା ମଧ୍ୟ ଲକ୍ଷ୍ୟ କରାଯାଇଛି ।

” ଫିଟ୍ ଇଣ୍ଡିଆ ” ସାଇକେଲ ଯାତ୍ରାରେ ଭୁବନେଶ୍ୱର ର ଅନେକ ନାଗରିକ ବିଶେଷ କରି ଯୁବପିଢ଼ି ଯୋଗ ଦେବା ଏକ ସୁସ୍ଥ ରାଜ୍ୟ ଗଠନର ପ୍ରାଥମିକ ସଂକେତ ବୋଲି କୁହାଯାଇପାରିବ ।ଆମ ଯୁବବର୍ଗ ନିଜ ସ୍ୱାସ୍ଥ୍ୟ ପ୍ରତି ସଚେତନ ଏବଂ ନିରୋଗ ରହିବା ପାଇଁ ତାଙ୍କର ସାଇକେଲ ବ୍ୟବହାର ବାସ୍ତବରେ ସ୍ୱାଗତ ଯୋଗ୍ୟ । ମଝି ମଝିରେ ସାଇକ୍ଲୋଥନ କରି ଶିଶୁ ମାନଙ୍କୁ ସାଇକେଲ ଚାଳନା ପ୍ରତି ଆକର୍ଷିତ ଏବଂ ଉତ୍ସାହିତ କରିବାର ଆବଶ୍ୟକତା ରହିଛି । ୨o୧୮ ରେ ଆରମ୍ଭ ହୋଇ କିଛିଦିନ ପରେ ଆଦୃତି ହରେଇଥିବା ‘ମୋ ସାଇକେଲ ‘ ବ୍ୟବସ୍ଥାକୁ ନୂଆ ରୂପ ଦେଇ କାର୍ଯ୍ୟକାରୀ କରାଗଲେ ଏହା ପୁଣିଥରେ ଲୋକଙ୍କ ପାଖରେ ପହଞ୍ଚି ପାରିବ ବୋଲି ଆଶା କରାଯାଏ ।ସାଇକେଲ ଟ୍ରାକ୍ ର ମରାମତି ସହିତ ଏହାକୁ ଚାଳକଙ୍କ ପାଇଁ ସ୍ୱଚ୍ଛ ଏବଂ ସୁରକ୍ଷିତ ରଖିବା ଦିଗରେ ଦୃଢ଼ ପଦକ୍ଷେପ ନେବା ଉଚିତ ।

ଦେଖାଯାଇଛି ଅନେକ ସ୍ଥାନରେ ଏହି ଟ୍ରାକ୍ ଉପରେ ଲୋକ କାର୍ କିମ୍ବା ଅନ୍ୟାନ୍ୟ ଯାନବାହାନ ପାର୍କିଂ କରି ଚାଲିଯାଉଛନ୍ତି ।କିଛି ବୁଲା ବିକାଳୀ ଓ ଠେଲା ଗାଡ଼ି ସେହି ସ୍ଥାନରେ ପରିବା ଓ ଫଳରେ ପସରା ମେଲି ବସିପଡ଼ୁଛନ୍ତି l ଯାହା ଦ୍ଵାରା ସାଇକେଲ ଚାଳକ ମାନଙ୍କ ରାସ୍ତା ଅବରୋଧ ହେବା ସହିତ ତାଙ୍କ ଜୀବନ ପ୍ରତି ମଧ୍ଯ ବିପଦ ଆଶଙ୍କା କରାଯାଉଛି । ମୁଖ୍ୟ ରାସ୍ତାରେ ଭାରି ଯାନବାହାନ ଙ୍କ ସହିତ ସାଇକେଲ ଚଳେଇବାକୁ ବିଶେଷ କରି ସମସ୍ତେ ଭୟଭୀତ ହେଉଛନ୍ତି । ତେଣୁ ଟ୍ରାକ୍ କୁ ଯେତେ ଶୀଘ୍ର ସମ୍ଭବ ଖାଲି ଏବଂ ପରିଷ୍କାର କରିବା ବର୍ତ୍ତମାନ ପରିପ୍ରେକ୍ଷୀରେ ସବୁଠାରୁ ପ୍ରଥମ ଆବଶ୍ୟକତା । ସରକାର ଏ ଦିଗରେ ଯେତେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ନେଇପାରିଲେ ସେତେ ଭଲ ।

ଫୋନ୍:୬୩୭୦୫୧୬୪୭୮