ନିଜ ଗାଁ ପାଇଁ ସିଲିକନ ଭ୍ୟାଲି ଛାଡ଼ିଥିବା ମଣିଷ

0
Bocca 728*90
ଲୋକମାନେ ସବୁବେଳେ ଭାବନ୍ତି ଚକଚକିଆ ସହରରେ ରହିବା ଉନ୍ନତିର ଏକ ଲକ୍ଷଣ । ସେଥିପାଇଁ ଲୋକମାନେ ଗାଁର ଶାନ୍ତ ପରିବେଶକୁ ତୁଚ୍ଛ କରି  ସବୁପ୍ରକାରର ଆଧୁନିକ ସୁଖ ସୁବିଧା ଥିବା ବଡ଼ ବଡ଼ ସହରରେ ରହିବାକୁ ନିଜ ଜୀବନର ଏକ ବଡ଼ ଲକ୍ଷ୍ୟ ବୋଲି ଭାବନ୍ତି ।  କର୍ପୋରେଟ ଜଗତରେ ମଧ୍ୟ ସମାନ ଚିନ୍ତାଧାରା-ଯେଉଁ କମ୍ପାନିର ଯେତେ ବଡ଼ ସହରରେ ଅଫିସ, ସେହି କମ୍ପାନି ସେତେ ସଫଳ ।
କିନ୍ତୁ ଏହି ଧାରାର ବିପରୀତ ଦିଗରେ ଯାଇ ସଫଳତା ହାସଲ କରିଛନ୍ତି ତାମିଲନାଡ଼ୁର ଜଣେ ବ୍ୟକ୍ତି, ଯିଏକି ସୁଦୂର ଆମେରିକାର ଆଧୁନିକ  ସାନ ହୋଜେ ସହରରୁ ନିଜ ଗାଁ ମାଟିକୁ ଫେରିଆସି ନିଜ କମ୍ପାନିର ମୁଖ୍ୟ କାର୍ଯ୍ୟାଳୟ ସ୍ଥାପନ କରିଛନ୍ତି ।
ଏହି ବ୍ୟକ୍ତିଙ୍କ ନାଁ ହେଉଛି ଶ୍ରୀଧର ଭେମ୍ବୁ ।  ୧୯୯୬ ମସିହାରେ ସେ ଯୁବକ ଥିବାବେଳେ ଏକ ଆଡଭେଣ୍ଟନେଟ ନାମକ ସଫ୍ଟଓ୍ଵାର କମ୍ପାନି ସ୍ଥାପନ କରିଥିଲେ । ୨୦୦୯ରେ ସେ ନିଜ କମ୍ପାନିର ନାଁ ବଦଳାଇ ରଖିଲେ ଜୋହୋ କର୍ପ । ତାହାକୁ ଏକ ସଫ୍ଟଓ୍ଵାର କମ୍ପାନିରୁ ଏକ ଆପ୍ଲିକେସନ (ଆପ) ତିଆରି କରୁଥିବା କମ୍ପାନିରେ ପରିଣତ କଲେ ।
କମ୍ପାନି ଆଉ ଏକ ବଡ଼ ନିଷ୍ପତ୍ତି ନେଲା । ନିଜର ମୁଖ୍ୟାଳୟକୁ ଚେନ୍ନାଇରୁ ଏକ ଗାଁକୁ ଉଠାଇନେବାକୁ  ସ୍ଥିର କରାଗଲା । ଏଥିପାଇଁ ଚେନ୍ନାଇଠାରୁ ୬୫୦ ଦୂର ତେନକାଶୀ ଜିଲ୍ଲାର ମଥାଲାମ୍ପରାଇ ଗାଁ ନାମକ ଗାଁରେ ୪ ଏକର ଜାଗା କିଣି କମ୍ପାନିର ମୁଖ୍ୟ କାର୍ଯ୍ୟାଳୟ ସ୍ଥାପନ କରାଗଲା ।
ଏହି କମ୍ପାନି ଏବେ କ୍ଲାଉଡ ଭିତ୍ତିକ କଷ୍ଟମର ରିଲେସନସିପ ମ୍ୟାନେଜମେଣ୍ଟ (ସିଆରଏମ) ସଲ୍ୟୁସନ ପ୍ରସ୍ତୁତ କରୁଛି । ଏହା ସହିତ ଅନଲାଇନ ଆକାଉଣ୍ଟିଂ, ହ୍ୟୁମାନ ରିସୋର୍ସ, ଇନଭେଣ୍ଟରୀ ମ୍ୟାନେଜମେଣ୍ଟ କ୍ଷେତ୍ରରେ ଆପ୍ଲିକେସନ (ଆପ) ନିର୍ମାଣ କରୁଛି ।
ତାମିଲନାଡ଼ୁର ତାଞ୍ଜାଭୁର ଜିଲ୍ଲାରେ ଏକ କୃଷକ ପରିବାରରେ ଜନ୍ମ ହୋଇଥିବା ଭେମ୍ବୁ ପରେ ଆମେରିକାର ପ୍ରିନ୍ସିଟନ ବିଶ୍ୱବିଦ୍ୟାଳୟରେ ପାଠ ପଢିଲେ ଓ ଡିଗ୍ରୀ ହାସଲ କରିବା ପରେ କାଲିଫର୍ନିଆର ସାନ ଡିଏଗୋଠାରେ ଥିବା ବିଶ୍ୱ ପ୍ରସିଦ୍ଧ ଟେକନଲୋଜୀ କମ୍ପାନି କ୍ୱାଲକମରେ ଯୋଗ ଦେଲେ । ପରେ ସେ ଆମେରିକାର ସାନ ଫ୍ରାନସିସକୋରେ ରହୁଥିଲେ ।
ଆମେରିକା ପରି ବିଶ୍ୱର ସମୃଦ୍ଧଶାଳୀ ଦେଶରେ ରହୁଥିଲେ ମଧ୍ୟ ସେ ନିଜ ଜନ୍ମମାଟିକୁ ଭୁଲିପାରିନଥିଲେ । ତାଙ୍କର ସ୍ୱପ୍ନ ଥିଲା ସିଲିକନ ଭ୍ୟାଲିକୁ ଗାଁକୁ ନେବା । ଏବେ ସେ ନିଜର ସ୍ୱପ୍ନକୁ ସାକାର କରିପାରିଛନ୍ତି ।  ଦୁଇଟି ଗାଁରେ ତାଙ୍କ କମ୍ପାନିର ଅଫିସ ଅଛି । ଗୋଟିଏ ଗାଁ  ମଥାଲାମ୍ପରାଇରେ ତାଙ୍କ କମ୍ପାନିର ମୁଖ୍ୟାଳୟ ରହିଛି ଓ ଅନ୍ୟଟି ଆନ୍ଧ୍ରପ୍ରଦେଶର ରେନିଗୁଣ୍ଟାଠାରେ ରହିଛି ।
ମାଟି ପ୍ରତି ତାଙ୍କର ଏହି ମମତା ଆମ ସମସ୍ତଙ୍କୁ ଅନୁପ୍ରାଣିତ କରିବ ବୋଲି ଆଶା । ଆମ ଓଡ଼ିଶାରେ ମଧ୍ୟ ଏଭଳି ଅନେକ ସଫଳ ମଣିଷ ଅଛନ୍ତି ଯେଉଁମାନେ ନିଜ ଜନ୍ମମାଟିର ଉନ୍ନତି ପାଇଁ ଚେଷ୍ଟା କରିଚାଲିଛନ୍ତି ।
Leave A Reply

Your email address will not be published.