Cervical Cancer ବା ଗର୍ଭାଶୟ କର୍କଟ ରୋଗକୁ ନେଇ ଏବେ ସବୁଠି ଚର୍ଚ୍ଚା ଚାଲିଛି। ଏହା ପଛରେ ରହିଛି ଦୁଇଟି କାରଣ.. ପ୍ରଥମଟି ହେଲା ଯେବେଠାରୁ କେନ୍ଦ୍ରୀୟ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ Cervical Cancer କୁ ରୋକିବା ପାଇଁ ଟୀକାକରଣ କରାଯିବ ବୋଲି ବଜେଟ୍ ରେ ଉପସ୍ଥାପନ କରିଛନ୍ତି ଏବଂ ଦ୍ବିତୀୟଟି ହେଲା ସେଲିବ୍ରେଟି ପୁନମ୍ ପାଣ୍ଡେ Cervical Cancer ରେ ମୃତ୍ୟୁବରଣ କରିଥିବା ନେଇ ଗୁଜବ ପ୍ରଚାର ହୋଇଥିଲା। ଏହି ଦୁଇଟି ଘଟଣା ପରେ Cervical Cancer ଏବେ ସାରା ଦେଶରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି। ତେବେ ଚର୍ଚ୍ଚାର ବିଷୟ ହେଉଛି Cervical Cancer କ’ଣ ? ଏହି ରୋଗର ଲକ୍ଷଣ କ’ଣ ? ଏଥିପାଇଁ ଚିକିତ୍ସା ପଦ୍ଧତି କ’ଣ ରହିଛି ଏବଂ କିପରି ସଚେତନ ରହିବେ ? ଏହି ୪ଟି ପ୍ରଶ୍ନ ହେଉଛି ଏହି ପ୍ରସଙ୍ଗର ମୁଖ୍ୟ ବିଷୟବସ୍ତୁ …
ବିଶ୍ବ ସ୍ୱାସ୍ଥ୍ୟ ସଂଗଠନ ରିପୋର୍ଟ ଅନୁଯାୟୀ, ୨୦୨୦ ମସିହାରେ ସାରା ବିଶ୍ୱରେ ୬,୦୪,୦୦୦ ଜଣ ମହିଳା ଗର୍ଭାଶୟ କର୍କଟ (Cervical Cancer) ରୋଗରେ ଆକ୍ରାନ୍ତ ଥିବା ବେଳେ ୩,୪୨,୦୦୦ ଜଣଙ୍କ ମୃତ୍ୟୁ ଘଟିଥିଲା। ସେସମୟରେ ଏହା ଥିଲା ବିଶ୍ବର ଚତୁର୍ଥ ସାଧାରଣ ରୋଗ। ଏଭଳି ପରିସ୍ଥିତିରେ ମହିଳାମାନେ ଏହି ରୋଗର ଲକ୍ଷଣ ବିଷୟରେ ଜାଣିବା ନିହାତି ଆବଶ୍ୟକ।
ପ୍ରଥମ ପର୍ଯ୍ୟାୟ ଲକ୍ଷଣ
ବିଶେଷଜ୍ଞଙ୍କ ଅନୁଯାୟୀ, ଯେତେବେଳେ ଗର୍ଭାଶୟ କର୍କଟ କୋଷିକାଗୁଡ଼ିକ ଗର୍ଭାଶୟ ପୃଷ୍ଠରୁ ସର୍ଭେକ୍ସ ଟିସୁରେ ପହଞ୍ଚନ୍ତି କିନ୍ତୁ ଏହାର ବୃଦ୍ଧି ହୋଇନଥାଏ। ତେବେ ଏହା ହେଉଛି ପ୍ରଥମ ପର୍ଯ୍ୟାୟ। ଏହାର ଲକ୍ଷଣ ହେଉଛି..
-ଏହା ବ୍ୟତୀତ ଯୋନୀରୁ ରକ୍ତସ୍ରାବ ହେବା।
-ପେଲଭିକ୍ ରେ ଯନ୍ତ୍ରଣା ଅନୁଭବ ହେବା।
ଦ୍ୱିତୀୟ ପର୍ଯ୍ୟାୟର ଲକ୍ଷଣ
ବିଶେଷଜ୍ଞଙ୍କ ଅନୁଯାୟୀ, କର୍କଟ ରୋଗର ଦ୍ୱିତୀୟ ପର୍ଯ୍ୟାୟରେ କର୍କଟ କୋଷିକା ଗର୍ଭାଶୟ ଏବଂ ଗର୍ଭାଶୟ ବାହାରେ ବିସ୍ତାର ହୁଏ କିନ୍ତୁ ଯୋନୀରେ ପହଞ୍ଚେ ନାହିଁ। ଏହାର ଲକ୍ଷଣ ହେଉଛି
-ଗର୍ଭାଶୟରୁ ରକ୍ତସ୍ରାବ ହେବା।
– ସମ୍ପର୍କ ସ୍ଥାପନା ପରେ ରକ୍ତସ୍ରାବ ହେବା।
-ଋତୁସ୍ରାବ ସମୟରେ ପେଲଭିକ୍ ରେ ଯନ୍ତ୍ରଣା ଅନୁଭବ ହେବା।
ତୃତୀୟ ପର୍ଯ୍ୟାୟ ଲକ୍ଷଣ
ତୃତୀୟ ପର୍ଯ୍ୟାୟରେ କର୍କଟ କୋଷିକା ଯୋନୀ କିମ୍ବା ପେଲଭିକ୍ ପୃଷ୍ଠରେ ବ୍ୟାପିଥାଏ। ଏହି ଟ୍ୟୁମର କିଡନୀରୁ ବ୍ଲାଡର ପର୍ଯ୍ୟନ୍ତ ଥିବା ପରିସ୍ରା ଟ୍ୟୁବ୍କୁ ବା ପରିସ୍ରା ନଳୀକୁ ମଧ୍ୟ ଅବରୋଧ କରିଥାଏ। ଏହାକୁ କର୍କଟ ସ୍ତରର ପରବର୍ତ୍ତୀ ପର୍ଯ୍ୟାୟ ମଧ୍ୟ କୁହାଯାଏ। ଏହାର ଲକ୍ଷଣ ହେଉଛି…
-ପରିସ୍ରା କରିବାରେ ସମସ୍ୟା ।
-ମଳ ତ୍ୟାଗ କରିବାରେ ସମସ୍ୟା ।
-ପରିସ୍ରାରେ ରକ୍ତ ପଡିବା।
-ଓଜନ ହ୍ରାସ ହେବା।
-ପିଠି ବ୍ୟଥା ହେବା।
ସୁରକ୍ଷା ପଦ୍ଧତି
ଏହି ସାଂଘାତିକ ରୋଗରୁ ବଞ୍ଚିବାର ଉପାୟ ହେଉଛି ସଠିକ୍ ସମୟରେ ଚିକିତ୍ସା ଆରମ୍ଭ କରିବା ଏବଂ ଏହାର ଚିକିତ୍ସା ନିର୍ଭର କରେ ରୋଗଟି କେଉଁ ପର୍ଯ୍ୟାୟରେ ପହଞ୍ଚିଛି। ପ୍ୟାପ୍ ସ୍ମିର୍ ଟେଷ୍ଟ ମାଧ୍ୟମରେ ଏହି ରୋଗକୁ ଚିହ୍ନଟ କରାଯାଏ। ଯଦି ଗର୍ଭାଶୟ କର୍କଟରେ ପୀଡିତ ରୋଗୀର ଚିକିତ୍ସା ପ୍ରଥମ ପର୍ଯ୍ୟାୟରେ ଆରମ୍ଭ ହୁଏ, ତେବେ ୫ ବର୍ଷ ବଞ୍ଚିବାର ସମ୍ଭାବନା ପ୍ରାୟ ୯୨% ଥାଏ। ଏପରି ପରିସ୍ଥିତିରେ ଯଦି ଆପଣ କୌଣସି ଲକ୍ଷଣ ଦେଖନ୍ତି, ତୁରନ୍ତ ଡାକ୍ତରଙ୍କ ସହିତ ଯୋଗାଯୋଗ କରନ୍ତୁ।