ନିକଟରେ ପୁଣମ୍ ପାଣ୍ଡେ ନିଜ ମୃତ୍ୟୁକୁ ନେଇ ମିଥ୍ୟା ଖବର ପ୍ରଚାର କରି cervical cancer ବା ଗର୍ଭାଶୟ କର୍କଟ ରୋଗ ବିଷୟରେ ସଚେତନ କରାଇଥିଲେ। ୨୦୨୪-୨୫ ବର୍ଷର ବଜେଟରେ ନିର୍ମଳା ସୀତାରମଣ ମଧ୍ୟ ଗର୍ଭାଶୟ କର୍କଟ ବୃଦ୍ଧି କରାଉଥିବା HPV ସଂକ୍ରମଣ ବିରୋଧରେ ମାଗଣା ଟୀକାକରଣ ପାଇଁ ପ୍ରତିଶୃତି ଦେଇଛନ୍ତି। ତେବେ ଏହି ରୋଗରୁ ବର୍ତ୍ତିବା ପାଇଁ ସଚେତନତା ହେଉଛି ଏକ ମାତ୍ର ଉପାୟ ବୋଲି ଆମେ ପୂର୍ବ ଦୁଇଟି ଆର୍ଟିକିଲରେ ଆଲୋଚନା କରିସାରିଛେ। ଆଜିର ବିଷୟ ହେଉଛି କେଉଁ ଟେଷ୍ଟ ମାଧ୍ୟମରେ ଏହି ରୋଗର ଚିହ୍ନଟ ହେବେ ଏବଂ କେବେ ଓ କେଉଁ ପରିସ୍ଥିତିରେ ଏହି ଟେଷ୍ଟ କରିବା ପାଇଁ ଡାକ୍ତରମାନେ ପରାମର୍ଶ ଦିଅନ୍ତି।
ଯେଉଁ ମହିଳାମାନେ ଯୌନକ୍ରିୟାରେ ସକ୍ରିୟ ଥାଆନ୍ତି, ସେମାନଙ୍କ ଠାରେ ଗର୍ଭାଶୟ କର୍କଟ ହେବାର ଆଶଙ୍କା ଅଧିକ ଥାଏ। ଏମାନଙ୍କ ମଧ୍ୟରୁ ପ୍ରାୟ ୮୦% ମହିଳା ଜୀବନରେ ଅତି କମରେ ଥରେ HPV ସଂକ୍ରମଣ ହୋଇଥାନ୍ତି। ଯଦିଓ ଏହି ସଂକ୍ରମଣ ଅଳ୍ପ ସମୟ ପାଇଁ ରହିଥାଏ, କିନ୍ତୁ ଯେଉଁମାନେ HPV ଦ୍ବାରା ଏକାଧିକ ଥର ସଂକ୍ରମିତ ହୁଅନ୍ତି, ସେମାନଙ୍କ ଶରୀରରେ ବର୍ଷ ବର୍ଷ ଧରି HPV ଭୂତାଣୁ ରହିଥାଏ। ଭାରତୀୟ ମହିଳାମାନଙ୍କଠାରେ ବିଶେଷ ଭାବରେ ତୃତୀୟ କିମ୍ବା ଚତୁର୍ଥ ପର୍ଯ୍ୟାୟରେ ଚିହ୍ନଟ କରାଯାଏ। ପ୍ୟାପ୍ ସ୍ମାର୍ ଟେଷ୍ଟ ମାଧ୍ୟମରେ ଏହି ରୋଗର ଚିହ୍ନଟ କରାଯାଏ।
ଟେଷ୍ଟ କିପରି କରାଯାଏ?
କିଛି ମିନିଟରେ ଏହି ଟେଷ୍ଟ କରାଯାଏ। ଡାକ୍ତରଖାନା କିମ୍ବା କ୍ଲିନିକରେ ଥିବା ଡାକ୍ତରମାନେ ଏହି ଟେଷ୍ଟ ପାଇଁ ରୋଗୀଙ୍କୁ ପ୍ରସ୍ତୁତ କରନ୍ତି। ଏଥିପାଇଁ ଅଣ୍ଟା ତଳର ପୋଷାକ ଖୋଲିବାକୁ ପଡିପାରେ। ଅଲ୍ଟ୍ରାସାଉଣ୍ଡ ଭଳି ଏଥିରେ ମଧ୍ୟ ବେଡ ଉପରେ ଶୁଆଇ ଏହି ଟେଷ୍ଟ କରାଯାଏ। ଏହା ପରେ ଡାକ୍ତର ଧୀରେ ଧୀରେ ଯୋନୀରେ ଏକ ଯନ୍ତ୍ର ଭର୍ତ୍ତି କରି ଗର୍ଭାଶୟର ଗ୍ରେଭ୍ କୁ ଯାଞ୍ଚ କରନ୍ତି। ଏହା ଦ୍ବାରା ପେଲଭିକ୍ ରେ ସାମାନ୍ୟ ସମ୍ବେଦନଶୀଳତା କିମ୍ବା ଚାପ ଅନୁଭବ କରାଯାଇପାରେ। ଏହି ପଦ୍ଧତି ମାଧ୍ୟମରେ ଗର୍ଭାଶୟରୁ ନମୁନା ସଂଗ୍ରହ କରାଯାଇଥାଏ। ପରେ ଏହାକୁ ପରୀକ୍ଷା କରି ଜଣାଯାଏ ଯେ ରୋଗୀ cervical cancerରେ ଆକ୍ରାନ୍ତ ହୋଇଛନ୍ତି କି ନାହିଁ।
କେତେବେଳେ ବା କେଉଁ ପରିସ୍ଥିତିରେ ପ୍ୟାପ୍ ସ୍ମାର୍ ଟେଷ୍ଟ୍ କରାଇବେ ?
୨୧ ବର୍ଷ ବୟସ ପରେ ମହିଳାମାନେ ନିୟମିତ ଭାବେ ପ୍ୟାପ୍ ସ୍ମାର୍ ପରୀକ୍ଷା କରିବା ଆରମ୍ଭ କରିବା ଉଚିତ୍। କେତେକ ମହିଳାଙ୍କୁ HPV ସଂକ୍ରମଣ ଏବଂ କର୍କଟ ରୋଗ ହେବାର ସମ୍ଭାବନା ଅଧିକ ଥାଏ।। ଯଦି ଆପଣଙ୍କର ଏହି ସମ୍ବୋନ୍ଧୀୟ ସମସ୍ୟା ରହିଥାଏ, ଆପଣ ଯଥାଶୀଘ୍ର ଏକ ପ୍ୟାପ୍ ସ୍ମାର୍ ଟେଷ୍ଟ୍ କରିବା ଉଚିତ୍। ଯଦି ଆପଣଙ୍କର ବୟସ ୬୫ ବର୍ଷରୁ ଅଧିକ ଏବଂ ପୂର୍ବରୁ ଏହି ଟେଷ୍ଟ କରିସାରିଛନ୍ତି, ରିପୋର୍ଟ ସ୍ୱାଭାବିକ ଥିଲା ତେବେ ଆପଣ ବର୍ତ୍ତମାନ ଏହି ପରୀକ୍ଷା କରିବା ବନ୍ଦ କରିପାରିବେ। ଯଦିଓ ବର୍ତ୍ତମାନ ତୁମେ ଯୌନକ୍ରିୟାରେ ସମ୍ପୃକ୍ତି ନାହଁ, ତଥାପି ତୁମକୁ ନିୟମିତ ଭାବେ ପ୍ୟାପ୍ ସ୍ମାର୍ ଟେଷ୍ଟ କରାଇବା ଉଚିତ୍। ଏହାର କାରଣ ହେଉଛି, HPV ଭୂତାଣୁ ଗର୍ଭାଶୟରେ ବହୁ ବର୍ଷ ପର୍ଯ୍ୟନ୍ତ ନିଷ୍କ୍ରିୟ ରହିବା ପରେ ପୁନର୍ବାର ସକ୍ରିୟ ହୋଇପାରେ ।