ମହିଳାଙ୍କ ସୁରକ୍ଷା ହେଉଛି ସରକାରଙ୍କ ପ୍ରାଥମିକତା: ପ୍ରଭାତୀ ପରିଡ଼ା ଓଡବ୍ଲୁଏମ୍ ର ଦ୍ୱିତୀୟ ପ୍ରତିଷ୍ଠା ଦିବସ ଆମ ଓଡ଼ିଶା By Lopa On Mar 10, 2025 0 Share ଭୁବନେଶ୍ୱର,୦୯/୦୩/୨୫: ମହିଳାଙ୍କ ସୁରକ୍ଷା ହେଉଛି ସରକାରଙ୍କ ପ୍ରାଥମିକତା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ଆଜି ଶୁଭାରମ୍ଭ ହୋଇଥିବା ଶକ୍ତି ଆପ୍ଲିକେସନ୍ ମହିଳାମାନଙ୍କ ସୁରକ୍ଷା କ୍ଷେତ୍ରରେ ଏକ ଗେମ୍ ଚେଞ୍ଜର ହେବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା । ଭୁବନେଶ୍ୱରରେ ଆୟୋଜିତ ଓଡ଼ିଶା ୱିମେନ୍ ଇନ ମିଡିଆ(ଓଡବ୍ଲୁଏମ୍)ର ଦ୍ୱିତୀୟ ପ୍ରତିଷ୍ଠା ଦିବସ ସମାରୋହକୁ ଆଜି ଉଦଘାଟନ କରିବା ଅବସରରେ ଶ୍ରୀମତୀ ପରିଡ଼ା ମହିଳାମାନଙ୍କ ସମ୍ମାନ ଓ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେଇଥିଲେ । ସେ କହିଥିଲେ, ରାଜ୍ୟ ସରକାର ଏଥିପାଇଁ ଯଥେଷ୍ଟ ଯତ୍ନବାନ ଅଛନ୍ତି । ଶକ୍ତି ଆପ୍ଲିକେସନ୍ ଏ ଦିଗରେ ଏକ ବୈପ୍ଲବିକ ପରିର୍ବନ ଆଣିବାକୁ ଯାଉଛି । ଦୁଷ୍କର୍ମର ଶିକାର ଜଣେ ପୀଡ଼ିତାଙ୍କୁ ନିଜ ପରିବାର ଓ ସମ୍ପର୍କୀୟଙ୍କଠାରୁ ଆରମ୍ଭ କରି ପୁଲିସ, ଡାକ୍ତର, ଓକିଲ ଏବଂ ବିଚାରପତିଙ୍କ ସମ୍ମୁଖରେ ଛିଡ଼ା ହୋଇ ନିଜ ନିର୍ଯ୍ୟାତନାର କାହାଣୀ ବର୍ଣ୍ଣନା କରିବାକୁ ପଡ଼ିବନି । ଶକ୍ତି ଆପ୍ ମାଧ୍ୟମରେ ପୀଡ଼ିତା ତାଙ୍କ ଦୁର୍ଦ୍ଦଶା ଓ ନିର୍ଯ୍ୟାତନା ସମ୍ପର୍କରେ ବୟାନ ରେକର୍ଡ କରିପାରିବେ । ଏହି ରେକର୍ଡ ଅଦାଲତରେ ବ୍ୟବହାର କରାଯାଇପାରିବ । ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ଆହୁରି କହିଥିଲେ ଯେ କେବଳ ମହିଳାମାନଙ୍କୁ ନେଇ ଏକ କୋର୍ଟ ପ୍ରତିଷ୍ଠା କରିବାକୁ ରାଜ୍ୟ ସରକାର ଯୋଜନା କରୁଛନ୍ତି । ଏଥିରେ ଚତୁର୍ଥ ଶ୍ରେଣୀ କର୍ମଚାରୀ, ପେସ୍କାର, ଓକିଲଙ୍କଠାରୁ ଆରମ୍ଭ କରି ବିଚାରପତିଙ୍କ ଯାଏଁ ସମସ୍ତେ ମହିଳା ରହିବେ । ଏହାଦ୍ୱାରା ମହିଳାମାନେ ନିଜକୁ ଆହୁରି ସୁରକ୍ଷିତ ମଣିପାରିବେ । ମହିଳାମାନେ ଆଜି ବିଭିନ୍ନ କ୍ଷେତ୍ରରେ ପ୍ରମୁଖ ଭାଗରେ ଥିଲା ବେଳେ ସେମାନଙ୍କ ସୁରକ୍ଷା ନେଇ ଚିନ୍ତା କରିବାର ଆବଶ୍ୟକତା ପଡୁଛି, ଯାହା ଆହୁରି ଉଦବେଗର ବିଷୟ ବୋଲି ଉପମୁଖ୍ୟମନ୍ତ୍ରୀ କହିଥିଲେ । ଏ ଦିଗରେ ମହିଳା ସାମ୍ବାଦିକମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସେମାନେ ନିଜ ସହର ଏବଂ କର୍ମକ୍ଷେତ୍ରର ସେଫ୍ଟି ଅଡିଟ୍ ପ୍ରସ୍ତୁତ କରି ଆଗାମୀ ବର୍ଷେ ପାଇଁ ମହିଳାଙ୍କ ସୁରକ୍ଷାରେ ଅବଦାନ ସୁନିଶ୍ଚିତ କରିବାକୁ ସେ ପରାମର୍ଶ ଦେଇଥିଲେ । ଏଥିପାଇଁ ରାଜ୍ୟ ସରକାର ସବୁ ପ୍ରକାର ସହଯୋଗ ଯୋଗାଇଦେବେ ବୋଲି ଉପମୁଖ୍ୟମନ୍ତ୍ରୀ କହିଥିଲେ । ମହିଳା ସାମ୍ବାଦିକଙ୍କର କାର୍ଯ୍ୟଦକ୍ଷତା ବୃଦ୍ଧିରେ ସହାୟକ ହେବା ସହ ଇଚ୍ଛୁକ ପ୍ରତିଭାଙ୍କ ପାଇଁ ଆର୍ଥିକ ପ୍ରତିବନ୍ଧକ ଦୂର କରିବା ପାଇଁ ଓଡବ୍ଲୁଏମ୍ କାର୍ଯ୍ୟ କରିବାକୁ ଉପମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ଏହି ଅବସରରେ ସାମ୍ବାଦିକା ଶୋଭା ସୁରିନ୍ ଏବଂ ସୁମିତ୍ରା ସାହୁଙ୍କୁ ଓଡବ୍ଲୁଏମ ଆୱାର୍ଡସ୍ ଫର୍ ଏକ୍ସଲେନ୍ସ ଇନ ଜର୍ଣ୍ଣଲିଜିମ୍ ସମ୍ମାନରେ ସମ୍ମାନିତ କରାଯାଇଥିଲା । ପ୍ରତ୍ୟେକଙ୍କୁ ୫ ହଜାର ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା । ଏଥିସହ ଓଡବ୍ଲୁଏମ୍ ର ବାର୍ଷିକ ପତ୍ରିକା \”ଆରୋହୀ\’ ର ଉନ୍ମୋଚନ କରିଥିଲେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା । ବରିଷ୍ଠ ସାମ୍ବାଦିକା ଉମା ସୁଧୀର ଏବଂ ଅଳକା ସାହାଣୀ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ । ଆୟୋଜିତ ପ୍ରଥମ ଅଧିବେଶନରେ ତୃଣମୂଳସ୍ତରରେ କାର୍ଯ୍ୟ କରୁଥିବା ମହିଳା ଉଦ୍ୟୋଗୀ ଯାଜପୁରର ଭଗବତୀ ସାହୁ ଏବଂ ବାଲେଶ୍ୱରର ଜୟନ୍ତୀ ମହାରଣା, ଫୁଟବଲ ଖେଳାଳି ପୁଷ୍ପାରାଣୀ ଭୂୟାଁ ସେମାନଙ୍କ ସଂଘର୍ଷ ଏବଂ ସଫଳତାର କାହାଣୀ କହିଥିଲେ । ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ମେୟର ସୁଲୋଚନା ଦାସ ଯୋଗଦେଇ ସାମାଜିକ ବିକାଶରେ ମହିଳା ସାମ୍ବାଦିକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ । ଓଡବ୍ଲୁଏମ ସଭାନେତ୍ରୀ କସ୍ତୁରୀ ରାୟ ସ୍ୱାଗତ ଭାଷଣ ଦେଇଥିଲା ବେଳେ ସମ୍ପାଦିକା ମିନତୀ ସିଂ ବାର୍ଷିକ ବିବରଣୀ ପାଠ କରିଥିଲେ । ସଂଗଠନର ଉପସଭାନେତ୍ରୀ ଶାରଦା ଲାହାଙ୍ଗୀର ଧନ୍ୟବାଦ ଅର୍ପଣ କରିଥିଲେ । odishaowbmprabhati paridawomens day 0 Share FacebookTwitterGoogle+ReddItWhatsAppPinterestEmail