ଅନର୍ କିଲିଂ – ସମାଜ ପାଇଁ ଲଜ୍ଜ୍ୟା !!

0

ହତ୍ୟା ଏକ ଜଘନ୍ୟ ଅପରାଧ । କିନ୍ତୁ ନିଜ ଆତ୍ମୀୟ ସ୍ଵଜନ ଏପରିକି ନିଜର ଅତି ନିକଟ ସମ୍ପର୍କୀୟ ମାନେ ଚକ୍ରାନ୍ତ କରି ପରିବାରର ସଦସ୍ୟ ମାନଙ୍କୁ ହତ୍ୟା କରିବା ବା କାହା ଦ୍ଵାରା କରେଇବା ଏକ ଅକ୍ଷମଣୀୟ ଏବଂ ଲଜ୍ଜ୍ୟାଜନକ ଅପରାଧ । ଲୋକ ଦେଖାଣିଆ ସମ୍ମାନ, ବଂଶଗତ ପ୍ରତିପତ୍ତି କୁ ବଞ୍ଚେଇ ରଖିବା ଆଳରେ ନିଜ ପରିବାର, ବଂଶ ତଥା ସମୁଦାୟର କୌଣସି ସଦସ୍ୟ ର ହତ୍ୟା ଉଦ୍ୟମ କୁ ଅନର୍ କିଲିଂ କୁହାଯାଏ । ସେମାନଙ୍କର ଧାରଣା ଯେ ଏଭଳି ସନ୍ତାନ, ଯେଉଁମାନେ ତାଙ୍କ ଜାତି ଏବଂ କୂଳ ପାଇଁ ନିନ୍ଦା, ଅପବାଦ ଆଣନ୍ତି ; ସେମାନେ ବଞ୍ଚିବା ଅପେକ୍ଷା ତାଙ୍କୁ ମାରିଦିଆଯିବା ଶ୍ରେୟସ୍କର । ସମଗ୍ର ବିଶ୍ୱରେ ପ୍ରତିବର୍ଷ ୫ooo ହତ୍ୟା, କେବଳ ଅନର୍ କିଲିଂ ଯୋଗୁଁ ହୋଇଥାଏ । ତନ୍ମଧ୍ୟରୁ ଆମ ପଡ଼ୋଶୀ ରାଷ୍ଟ୍ର ପାକିସ୍ତାନ ରେ ଏହାର ଏକ ପଞ୍ଚମାଂଶ ( ୧ooo) ଜଣ ଅନର୍ କିଲିଂ ର ଶିକାର ହୋଇଥାନ୍ତି । ଏଭଳି କାଣ୍ଡ ପଛରେ କାରଣ ମଧ୍ଯ ବେଶ ସମ୍ବେଦନଶୀଳ,ଯେପରିକି :-

▪️ପରିବାର ଲୋକଙ୍କ ଇଚ୍ଛା ବିରୁଦ୍ଧରେ ପ୍ରେମ ବିବାହ
▪️ପୁଅ ଏବଂ ଝିଅଙ୍କ ସମାନ ଗାତ୍ରରେ ବିବାହ
▪️ବିବାହ ପୂର୍ବରୁ କିମ୍ବା ପରେ ପୁରୁଷ / ମହିଳା ଅନ୍ୟ
କାହା ସହିତ ଅବୈଧ ସମ୍ପର୍କ ସ୍ଥାପନ
▪️ସମଲିଙ୍ଗୀ ଆଚରଣ
▪️ସ୍ୱାମୀ ଠାରୁ ଛାଡ଼ପତ୍ର ପାଇଁ ଇଚ୍ଛା ପୋଷଣ
ପରିବାର ର ସମ୍ମାନକୁ ହାନି ପହଞ୍ଚଉଥିବା ଛୋଟ ଏକ କାରଣ ମଧ୍ଯ ଅନର୍ କିଲିଂ ଭଳି ଏକ ଗୁରୁତର ଅପରାଧ ଦିଗରେ ବାଟ କଢେଇ ନିଏ ।ନିଜ ଔରସରୁ ଜନ୍ମଦେଇ ଏବଂ ସ୍ନେହରେ ଲାଳନ ପାଳନ କରିଥିଲେ ବି କ୍ଷଣିକ ରାଗ, ପରିବାରର ଗୌରବ ପାଇଁ ସେମାନେ ତାଙ୍କୁ ଜଳାଞ୍ଜଳି ଦେବାକୁ ପଛେଇ ନ ଥାନ୍ତି । ଦୁଃଖର ବିଷୟ ଏଭଳି ଘଟଣା ଘଟିଗଲା ପରେ ପରିବାର ଲୋକ ହିଁ କଥା ଟିକୁ ଭିତରେ ଲୁଚେଇ ଦିଅନ୍ତି ।ସେଥିପାଇଁ ପୋଲିସ / ପ୍ରଶାସନ ମଧ୍ୟ ଏ ଦିଗରେ କିଛି ସାହାଯ୍ୟ କରିପାରନ୍ତି ନାହିଁ ।


‘ଅନର୍ ‘ ବା ‘ ସମ୍ମାନ ‘ ହାନିର ପ୍ରକୃତ ଅର୍ଥ ସେଇ ହତ୍ୟାକାରୀ ମାନଙ୍କ ହିସାବରେ ନିଜ ସନ୍ତାନ ମାନଙ୍କ ଉପରେ ସଶକ୍ତ ନିୟନ୍ତ୍ରଣ ।ସେମାନଙ୍କୁ ନିଜର ସାଥୀ ଚୟନ କରିବା ପାଇଁ ସ୍ୱାଧୀନତା ଏବଂ ଅଧିକାର ନ ଦେବା । କୌଣସି ମହିଳା /ପୁରୁଷ ଯଦି ନିଜ ଇଚ୍ଛା ଅନୁଯାୟୀ ଏପରି କରିବାକୁ ଇଚ୍ଛା କରେ ତେବେ ତାଙ୍କୁ ହିଂସା, ଶୋଷଣ, ଅପମାନ ଶେଷରେ ମୃତ୍ୟୁ ମୁଖକୁ ଠେଲି ଦିଆଯାଏ ।
ପରୀକ୍ଷଣ କଲେ ଜଣାପଡିବ ପ୍ରତିବର୍ଷ ଅନର୍ କିଲିଂ ରେ ଯେତେ ଜଣ ମୃତ୍ୟୁବରଣ କରୁଛନ୍ତି ତାହା ସୀମାରେ କିମ୍ବା କୌଣସି ମହାମାରୀ ଜନିତ ମୃତ୍ୟହାର ଠାରୁ ମଧ୍ଯ ଅଧିକ ! କହିବା ବାହୁଲ୍ୟ ଯେ ଏଭଳି ଘୃଣ୍ୟ କାମ କରୁଥିବା ବ୍ୟକ୍ତିମାନେ ପରିବାର, ଜାତି, ବଂଶର ସମ୍ମାନକୁ ପ୍ରତିଷ୍ଠିତ କରିବାର ଭୂଲ ରାସ୍ତାକୁ ଆପଣେଇ ନେଇଛନ୍ତି । ପରିବାରର ସଦସ୍ୟଙ୍କୁ ନୃଶଂସ ଭାବରେ ହତ୍ୟା କରିବାରେ ବଂଶର କି ସମ୍ମାନ ? ପରିବାର ତ ସେଇମାନଙ୍କୁ ନେଇ କି !
ଏଭଳି ପରିସ୍ଥିତିରେ ଆବଶ୍ୟକତା ରହିଛି ନିଜ ପରିବାର ଲୋକଙ୍କୁ ନିଃସ୍ୱାର୍ଥ ଭାବରେ ଭଲପାଇବା । ପାରସ୍ପରିକ ପ୍ରେମ ହିଁ ମନୁଷ୍ୟକୃତ ଜାତି, ଗୋତ୍ର ପ୍ରଭେଦକୁ ଦୂର କରି ସମସ୍ତଙ୍କୁ ଏକାଠି ରଖିବାର ଏକ କ୍ଷୀଣ ଆଶା ବୋଲି କୁହାଯାଇ ପାରେ ।

ଶ୍ରୁତକୀର୍ତ୍ତି ତ୍ରିପାଠୀ
ଫୋନ – 6370516478
ମହାରଣା ସାହି, ଭୁବନେଶ୍ୱର – ୨
Leave A Reply

Your email address will not be published.