ଖ୍ରୀଷ୍ଟ ପୂର୍ବ ୨୬୧ ରେ ମୌର୍ଯ୍ୟ ବଂଶୀ ସମ୍ରାଟ ଅଶୋକଙ୍କ “କଳିଙ୍ଗ ଯୁଦ୍ଧ”ଅତ୍ୟନ୍ତ ହୃଦୟ ବିଦାରକ ଥିଲା। କଳିଙ୍ଗକୁ ମୌର୍ଯ୍ୟ ସାମ୍ରାଜ୍ୟର ଅଧିକାର ଭୁକ୍ତ କରିବାର ଦୁର୍ବାର ଆକାଂକ୍ଷା ତାଙ୍କୁ “ତରବାରୀର ଜୟ ପ୍ରକୃତ ଜୟ ନୁହେଁ,ହୃଦୟର ଜୟ ହିଁ ପ୍ରକୃତ ଜୟ”ର ମହାନ୍ ଶିକ୍ଷା ଦେଇଥିଲା।ଏହି ଶିକ୍ଷା ଚଣ୍ଡା ଶୋକ ଅଶୋକ ଙ୍କୁ ଧର୍ମାଶୋକ ରେ ପରିଣତ କରିଦେଇଥିଲା।ଆରେ ପରେ ସେ ବୌଦ୍ଧଧର୍ମ କୁ ଜୀବନର ମାର୍ଗ ରୂପେ ଗ୍ରହଣ କରି ନେଇଥିଲେ।କେବଳ ଅଶୋକ କାହିଁକି କଳିଙ୍ଗ ଅନେକ ଥର ଅନ୍ୟର ଅଧିକାର ଭୂକ୍ତ ହୋଇଥିଲେ ମଧ୍ୟ ଖାରବେଳ ଙ୍କ ରାଜୁତି ସମୟରେ ଉନ୍ନତିର ଚରମ ଶିଖରରେ ପହଞ୍ଚି ପାରିଥିଲା।ତେବେ କଳିଙ୍ଗର ଶେଷ ହିନ୍ଦୁ ରାଜା ଗଜପତି ମୁକୁନ୍ଦ ଦେଵ ୧୫୭୬ ମସିହାରେ ମୋଗଲ ମାନଙ୍କ ଦ୍ଵାରା ପରାସ୍ତ ହେବା ପରେ ୧୮୦୩ ମସିହାରେ ପୁନଶ୍ଚ ଇଂରେଜ ମାନଙ୍କ ଦ୍ଵାରା ଅଧିକୃତ ହୋଇ ଭାଗ ଭାଗ ହୋଇଯାଇଥିଲା।କଳିଙ୍ଗର ଉତ୍ତର ଏବଂ ପଶ୍ଚିମ ଜିଲ୍ଲା ଗୁଡ଼ିକ ବଙ୍ଗଳା ପ୍ରେସିଡେନ୍ସି ର ଅନ୍ତର୍ଭୁକ୍ତ ହୋଇଥିବା ବେଳେ ଉପକୂଳ ଅଞ୍ଚଳ ଗୁଡ଼ିକ ବିହାର ର ଅନ୍ତର୍ଭୁକ୍ତ ହୋଇଯାଇଥିଲା।ସେତେବେଳେ ପଡୋଶୀ ରାଜ୍ୟମାନଙ୍କର ହୀନ ଚକ୍ରାନ୍ତ ପାଇଁ ଉତ୍କଳର ଗୌରବ ନଷ୍ଟ ହେବା ସହ ଉତ୍କଳ ବାସୀଙ୍କ ଅବସ୍ଥା ଅତ୍ୟନ୍ତ ଦୟନୀୟ ହୋଇଯାଇଥିଲା।ଏଥିରେ ବ୍ୟତିବ୍ୟସ୍ତ ହୋଇ ଉତ୍କଳ ଗୌରବ ମଧୁସୂଦନ ଦାସ ଆଉ ଥୟ ଧରି ରହି ପାରିଲେ ନାହିଁ।ସେ ୧୯୦୩ ମସିହାରେ ଉତ୍କଳ ସମ୍ମିଳନୀ ପ୍ରତିଷ୍ଠା କରି ଏକ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପାଇଁ ଉଦ୍ୟମ ଆରମ୍ଭ କରିଦେଲେ।

ତାଙ୍କ ସହ କର୍ମବୀର ଗୌରୀଶଙ୍କର ,ଉତ୍କଳ ମଣି ଗୋପବନ୍ଧୁ ଦାସ,ଫକିର ମୋହନ ସେନାପତି,ପାରଳା ମହାରାଜା ,ନୀଳମଣି ବିଦ୍ୟରତ୍ନ ଆଦି ଯୋଗଦେଇ ଆନ୍ଦୋଳନକୁ ଘରେ ଘରେ ପହଞ୍ଚାଇଥିଲେ।୧୯୦୩ମସିହାରେ ଶ୍ରୀ ରାମଚନ୍ଦ୍ର ଭଞ୍ଜ ଙ୍କ ସଭାପତିତ୍ବରେ ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନ କଟକ ଠାରେ ଅନୁଷ୍ଠିତ ହୋଇଥିଲା।ଏହି ବୈଠକ ରେ ଓଡ଼ିଆ ଭାଷାଭାଷୀ ଅଞ୍ଚଳର ଏକତ୍ରିକରଣ ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା।ଭାରତର ପୂର୍ବତନ ଭାଇସ ରାୟ ଲର୍ଡ କର୍ଜନ ଓଡ଼ିଶାକୁ ସ୍ଵତନ୍ତ୍ର ପ୍ରଦେଶ ଗଠନର ଦାବିକୁ ସମର୍ଥନ କରିଥିଲେ।
୧୯୩୧ ମସିହାରେ ଇଂଲଣ୍ଡ ଠାରେ ଗୋଲ୍ ଟେବୁଲ ବୈଠକରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଓଡ଼ିଶା ସ୍ଵତନ୍ତ୍ର ପ୍ରଦେଶ ପ୍ରସଙ୍ଗରେ ଦୃଢ ଦାବୀ ଉପସ୍ଥାପନ କରିଥିଲେ।ତାଙ୍କର ଏହି ଦାବିକୁ ଗ୍ରହଣ କରି ବୈଠକ ର ଅନୁମୋଦନ ଅନୁଯାୟୀ ଶ୍ୱେତପତ୍ର ରେ ସ୍ଵତନ୍ତ୍ର ଓଡ଼ିଶା ଗଠନ ପାଇଁ ସୁପାରିଶ ହୋଇଥିଲେ ମଧ୍ୟ ଏଥିରେ ପାରଳାଖେମୁଣ୍ଡି ଓ ଜୟପୁରକୁ ବାଦ୍ ଦିଆଯାଇଥିଲା।ପରେ ଯୁଗ୍ମ ସଂସଦୀୟ କମିଟି ର ଅନୁମୋଦନ କ୍ରମେ ଏହି ଦୁଇ ଅଞ୍ଚଳ ସ୍ଵତନ୍ତ୍ର ଓଡ଼ିଶା ଭିତରେ ସାମିଲ ହେଲେ ଓ ପାର୍ଲିଆମେଣ୍ଟ ଏହାକୁ ଗ୍ରହଣ କରି ନେଲେ।୧୯୩୬ ମସିହା ଏପ୍ରିଲ ପହିଲା ରେ ବ୍ରିଟେନ ର ରାଜା ଏହି ଆଦେଶ ନାମାରେ ସ୍ୱାକ୍ଷର କରି ଓଡ଼ିଶାକୁ ଏକ ସ୍ବତନ୍ତ୍ର ପ୍ରଦେଶ ର ମାନ୍ୟତା ପ୍ରଦାନ କଲେ ଓ ପାରଳା ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ହେଲେ ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ।ଉତ୍କଳର ଏହି ଯୋଗଜନ୍ମା ସୁପୁତ୍ର ମାନଙ୍କ ପାଇଁ ଉତ୍କଳ ତାର ଗୌରବ ଫେରି ପାଇଲା।୧୯୪୮ ମସିହା,ସ୍ଵାଧୀନତା ପରେ ଦେଶୀୟ ରାଜା ମାନଙ୍କର ମିଶ୍ରଣ ଫଳରେ ଓଡ଼ିଶା ଏକ ବିଶାଳ ରାଜ୍ୟରେ ପରିଣତ ହେଲା ଓ ରାଜନୈତିକ,ସାମାଜିକ,ଶିକ୍ଷା ଓ ସଂସ୍କୃତି କ୍ଷେତ୍ରରେ ଓଡ଼ିଶା ତାର ପ୍ରଗତି ପଥରେ ଆଗେଇ ଚାଲିଲା। ଆସନ୍ତୁ ,ଆଜି ଏହି ଉତ୍କଳ ଦିବସରେ ଆମେ ଉତ୍କଳ ର ସନ୍ତାନ ଗଣ ସେହି ବୀର ବରପୁତ୍ର ମାନଙ୍କୁ ଉପଯୁକ୍ତ ଶ୍ରଦ୍ଧାଞ୍ଜଳି ଦେଇ ଆମ ମାତୃ ଭାଷା ଓଡ଼ିଆକୁ ତଥା ଓଡ଼ିଶାକୁ ଏକ ସମୃଦ୍ଧି ଶାଳୀ ରାଜ୍ୟ ଭାବେ ଗଢି ତୋଳିବାକୁ ସଂକଳ୍ପବଦ୍ଧ ହେବା ଏବଂ ସମସ୍ତେ ମିଳିମିଶି ଉଦାତ୍ତ କଣ୍ଠରେ ସମସ୍ୱରରେ ଗାଇବା
ବନ୍ଦେ ଉତ୍କଳ ଜନନୀ
ଚାରୁ ହସମୟୀ,ଚାରୁ ଭାଷମୟୀ
ଜନନୀ……ଜନନୀ…….ଜନନୀ
