ଫ୍ରାନ୍ସର ପ୍ୟାରିସ ସହରରେ ଜନ୍ମଲାଭ କରିଥିବା ମୀରା ଆଲ୍ଫସା ଖୁବ୍ ପିଲା ବେଳୁ ଏକ ସ୍ବପ୍ନକୁ ବାରମ୍ବାର ଦେଖି ଆସୁଥିଲେ ଯାହା ଥିଲା ଖୁବ୍ ତାତ୍ପର୍ଯ୍ୟ ପୂର୍ଣ୍ଣ।ସ୍ୱପ୍ନଟି ଥିଲା ଏହିପରି _ବିରାଟ ଏକ ସୁନାର ଗାଉନ ପିନ୍ଧି ସେ ପୃଥିବୀ ର ଖୁବ୍ ଉପରକୁ ଉଠି ଯାଉଛନ୍ତି ଏବଂ ଗାଉନ ଟି ଦୂରକୁ ଲମ୍ବି ଯାଇଛି ଏବଂ ଯେତେକ ଦୁଃଖୀ,ରୋଗୀ ତାଙ୍କ ସାହାଯ୍ୟ ପାଇଁ ଆସି ସେହି ଗାଉନକୁ ସ୍ପର୍ଶ କରିଦେବା ମାତ୍ରେ ସେମାନଙ୍କର ଦୁଃଖ,କଷ୍ଟ ତତକ୍ଷଣାତ୍ ଚାଲିଯାଉଛି ଓ ସେମାନେ ଖୁବ୍ ଆରାମ ଅନୁଭବ କରୁଛନ୍ତି।ବାରମ୍ବାର ଦେଖୁଥିବା ଏହି ସ୍ୱପ୍ନଟି ତାଙ୍କୁ ହୃଦବୋଧ କରାଇ ଦେଇଥିଲା ଯେ ସେ କିଛି ମହତ୍ୱ ପୂର୍ଣ୍ଣ କାମ କରିବାକୁ ସଂସାର କୁ ଆସିଛନ୍ତି।ଏହିଠାରୁ ମୀରା ତାଙ୍କ ଆଧ୍ୟାତ୍ମିକ ଯାତ୍ରା ଆରମ୍ଭ କରନ୍ତି।ପରେ ପରେ ସେ ସ୍ବପ୍ନ ମାଧ୍ୟମରେ ଅନେକ ସାଧୁଙ୍କ ଠାରୁ ପ୍ରେରଣା ଓ ପରାମର୍ଶ ମାନ ପାଆନ୍ତି ବିଶେଷ କରି ଜଣେ କୃଷ୍ଣକାୟ ସନ୍ୟାସୀ ଯିଏ ସର୍ବଦା ତାଙ୍କ ବାମ ପଟ ରେ ରହି ତାଙ୍କୁ ଦିଗ୍ ଦର୍ଶନ ଦେଉଥାନ୍ତି।ମୀରା ତାଙ୍କୁ କୃଷ୍ଣ ନାମରେ ସମ୍ବୋଧନ କରୁଥାନ୍ତି।ପରେ ପରେ ସେ ଆଲଜେରିଆ ରେ ତେଓଁ ଙ୍କ ଠାରୁ ଗୁହ୍ୟ ବିଦ୍ୟା ରେ ପାରଦର୍ଶିତା ଅର୍ଜନ କରି ସ୍ଵ ଆବିଷ୍କୃତ ଏକ “ପ୍ରତୀକ” ର ଅର୍ଥ ଯେ କେହି ବିଶ୍ଳେଷଣ କରିଦେଇ ପାରିବ ସେ ଯେ ନିଶ୍ଚିତ ଭାବେ ତାଙ୍କ ଆଧ୍ୟାତ୍ମିକ ଗୁରୁ , ଏ ସମ୍ପର୍କରେ ମୀରା ସନ୍ଦିହାନ ଥାଆନ୍ତି।ତେବେ ଭାରତ ବର୍ଷ ଅନେକ ସାଧୁ ସନ୍ଥ ଙ୍କ ବାସସ୍ଥାନ ବୋଲି ଜାଣିବାକୁ ପାଇ,ଫରାସୀ ଅଧିକୃତ ପଣ୍ଡିଚେରୀ କୁ କୌଣସି କାର୍ଯ୍ୟରେ ଆସୁଥିବା ତାଙ୍କ ସ୍ବାମୀ ପଲ୍ ରିଚାର୍ଡ ଙ୍କୁ ସେହି ପ୍ରତିକାଟି ଦେଲେ।ସେତେବେଳେ ପଣ୍ଡିଚେରୀ ରେ ଅବସ୍ଥାନ କରୁଥିବା ୠଷି ଶ୍ରୀ ଅରବିନ୍ଦ ସେହି ପ୍ରତୀକ ଟିର ଅର୍ଥ ବୁଝାଇଦେବା ପରେ ସେ ଯେ ନିଶ୍ଚିତ ଭାବେ ତାଙ୍କ ଗୁରୁ ଏହା ମୀରା ଜାଣି ପାରିଥିଲେ।ମୀରା ୧୯୧୪ ମସିହାରେ ପଣ୍ଡିଚେରୀ ଆସି ଶ୍ରୀ ଅରବିନ୍ଦ ଙ୍କୁ ଦର୍ଶନ କରିଥିଲେ।ଶ୍ରୀ ଅରବିନ୍ଦ ଙ୍କୁ ଦର୍ଶନ କରି ସେ ଯେ ସେହି କୃଷ୍ଣ ଯାହାଙ୍କୁ ସେ ସ୍ୱପ୍ନରେ ଦେଖୁଥିଲେ ଏହା ଜାଣି ପାରିଥିଲେ।ତେବେ ପ୍ରଥମ ବିଶ୍ଵ ଯୁଦ୍ଧ ଆରମ୍ଭ ହୋଇଯାଇଥିବା ରୁ ମୀରା କିଛି ମାସ ରହି ପୁନଶ୍ଚ ଫ୍ରାନ୍ସକୁ ଚାଲି ଯାଇଥିଲେ।ପରେ ପରେ ସେ ଫ୍ରାନ୍ସ ରୁ ଜାପାନ ଚାଲିଯାଇଥିଲେ।୧୯୧୯ ମସିହା ବେଳକୁ ବର୍ତ୍ତମାନର କରୋନା ମହାମାରୀ ପରି ସେତେବେଳେ ସ୍ପାନିଶ୍ ଫ୍ଲୁ ନାମକ ମହାମାରୀ ସାରା ବିଶ୍ୱକୁ ଥରହର କରି ରଖିଥିବା ବେଳେ ମୀରା ମଧ୍ୟ ଏଥିରୁ ମୁକ୍ତ ହୋଇପାରି ନଥିଲେ।

ତେବେ ସେ ତାଙ୍କ ଆଧ୍ୟାତ୍ମିକ ବିଦ୍ୟା ପ୍ରୟୋଗ କରି ଏହାର ସୂକ୍ଷ୍ମ ସତ୍ତା କୁ ନଷ୍ଟ କରିଦେଇଥିଲେ।ଜାପାନରେ ଥିବାବେଳେ ମୀରା ଅନେକ ଆଧ୍ୟାତ୍ମିକ ଅଭିଜ୍ଞତା ମାନ ଅର୍ଜନ କରିଥିଲେ।ସର୍ବ ଶେଷରେ ମାନବ ସମାଜର ଇତିହାସ ରେ ସ୍ଵର୍ଣ୍ଣ ଅକ୍ଷରରେ ଲିପିବଦ୍ଧ ହୋଇ ରହିଯାଇଥିବା ସେହି ସମୟଟି ଉପସ୍ଥିତ ହୋଇଥିଲା।ମୃତ୍ୟୁ ଉପରେ ଅମାରତ୍ୱର ବିଜୟ ଲାଭ ପାଇଁ ମୀରା ୧୯୨୦ ମସିହା ଏପ୍ରିଲ ୨୪ ତାରିଖରେ ପଣ୍ଡିଚେରୀ ଯାତ୍ରା କରିଥିଲେ।ଅତି ପିଲା ବେଳରୁ ମୀରା ଦେଖି ଆସୁଥିବା ସ୍ବପ୍ନକୁ ବସ୍ତବତାରେ ରୂପାୟିତ କରିବାର ଖସଡ଼ା ପ୍ରସ୍ତୁତି ଏହି ଦିନ ଠାରୁ ଆରମ୍ଭ ହୋଇଯାଇଥିଲା।କେବଳ ସେତିକି ନୁହେଁ ଅନ୍ୟ ଦୁଇଟି କାରଣ ପାଇଁ ମଧ୍ୟ ଏହି ତାରିଖ ଇତିହାସରେ ଚିର ସ୍ମରଣୀୟ ହୋଇ ରହିଛି।ଇଜିପ୍ଟ ର ରାଣୀ ହାସପ୍ସତ୍ ଏହି ଦିନରେ ସିଂହାସନ ଆରୋହଣ କରି ଅନେକ ବୈପ୍ଳବିକ ପରିବର୍ତ୍ତନ ମାନ କରିଥିଲେ।ମୀରା ଅଲ୍ଫସା ପୂର୍ବ ଜନ୍ମରେ ହାସପ୍ସାତ୍ ଥିଲେ।ଏହି ତାରିଖରେ ଗ୍ରୀକ୍ ଟ୍ରୟ ନଗରୀ ଉପରେ ବିଜୟ ଲାଭ କରିଥିଲା।ତେଣୁ ବିଶ୍ଵ ପାଇଁ ଏହି ତାରିଖ ଟି ବେଶ୍ ମହତ୍ୱପୂର୍ଣ୍ଣ।ମୀରା ଏପ୍ରିଲ୨୪ରେ ତପୋଭୂମି ପଣ୍ଡିଚେରୀ ରେ ପହଞ୍ଚି ଶ୍ରୀ ଅରବିନ୍ଦ ଙ୍କ ଅତିମାନସ ଯୋଗରେ କାର୍ଯ୍ୟକାରିଣୀ ଶକ୍ତି ହୋଇ ଆଶ୍ରମ ଗଠନ ରେ ମୁଖ୍ୟ ଭୂମିକା ନେଇଥିଲେ।ସାମ୍ପ୍ରତିକ ବିଶ୍ୱରେ ଏକ ଅଦୃଶ୍ୟ ଅପଶକ୍ତି ମୃତ୍ୟୁ ର ତାଣ୍ଡବ ରଚୁଥିବା ବେଳେ ଅମରତ୍ୱର ଦାବି କରୁଥିବା ମୀରା ଅଲ୍ଫାସା ବା ଶ୍ରୀ ମାଆ ଯେ ଏକ ଆଲୋକ ବର୍ତ୍ତିକା ଏହା ନିସନ୍ଦେହ।