
ପୁରୀ ବୁଲିବାକୁ ଯାଇଥିଲି ସାଙ୍ଗ ହୋଇ ମାଙ୍କ ସହିତ ସୋନୁଙ୍କର ଜନ୍ମଦିନ ପାଳିବୁ । ଖବର ପାଇଲି କରୋନା ଯୋଗୁଁ ଲକ୍ଡାଉନ୍ । ପ୍ରଥମ ପନ୍ଦର ଦିନ କିଛି ଖରାପ ଲାଗିଲାନି ବହୁତ ଖୁସି ସ୍ୱାମୀ ସ୍ତ୍ରୀ ପିଲା ମାଆ ସମସ୍ତେ ଏକାଠି ରହିବାର ସୁଯୋଗ ପାଇଲୁ । ପରେ ପରେ ଲାଗିଲା କେମିତି ଚଳିବ ଏ ସଂସାର । ତିତିଲିର ଡେଣାରେ ଜଙ୍କ ଲାଗିଲା ଭଳି ଲାଗିଲା ସେହି ଲୁଣି ବାତାବରଣରେ । ଆଜ୍ଞା ହଁ ମୁଁ ସେହି ତିତିଲି ଜନ୍ମ ନେଇ ସାରିଥିଲି ଚାଳିଷ ବର୍ଷ ପୂର୍ବରୁ । ଆକାଶରେ ଉଡି ବୁଲିବାର ଆସୁମାରି ଆଶା, ବାପାଙ୍କର ଆର୍ଥିକ ଅବସ୍ଥା ଦେଖି ପାଇଲଟ ହେବାର ସ୍ୱପ୍ନ ତ୍ୟାଗ କରିଥିଲି ସତ କିନ୍ତୁ ଉଡାଜାହାଜ ଇଂଜିନିୟରିଂ କରିଲି । କିନ୍ତୁ ସେ ସ୍ୱପ୍ନ ବି ସାକାର କରିପାରିଲିନି କାରଣ ଏପରି ଆର୍ଥିକ ଅବସ୍ଥାରେ ଭାଇର ପାଠପଢା ବେଶି ଦରକାର ଥିଲା । ତାକୁ ଛାଡି କାମ କଲି ଏକ ସଂସ୍ଥାରେ ଯେଉଁଥିରେ ଜାହାଜରେ ଯିବାପାଇଁ ଟିକଟ କାଟୁଥିଲି । ପରେ ମୋର ଗୋଟେ ଭାଇ ମୋତେ ସାମ୍ୱାଦିକତା କରିବା ପାଇଁ ଫର୍ମ ଟିଏ ଆଣିଦେଲା । ତା ପାଇଁ ମୁଁ ଚେଷ୍ଟା କଲି ଏବଂ ଭଲ ନମ୍ୱରରେ ପାସ୍ କରି ଏକ ସମ୍ୱାଦପତ୍ରରେ କାମତ କଲି ହେଲେ, ସେ ଖୁସିବି ବେଶି ଦିନର ନଥିଲା, ବାପା ମାଆ ମୋ ଡେଣାରେ ପୁଣି ଶିକୁଳି ପକେଇଦେଲେ । ସଂସାର ବୋଝରେ କିଛି ବର୍ଷ ଚୁପ ହୋଇଗଲି । ପିଲା ମୋର ବଡ ହେବାକୁ ଲାଗିଲା । ପୁଣି ମନରେ ଜାଗ୍ରତ ହେଲା ଉଡିବାର ଆଶା । ସୋନୁଙ୍କୁ କହି ନିଜର ପତ୍ରିକା ଟିଏ କରିବାକୁ କହିଲି । ଲେଖିବା, ଗପିବା ମୋର ଗୋଟେ ବଡ ସଉକି ଥିଲା, ଭାବିଲି ସେଇଟା ଗୋଟେ ବାଟ ଯେଉଁଥିରେ ମୁଁ ଆକାଶକୁ ଛୁଇଁପାରିବି । ପତ୍ରିକାଟିର ନାଁ ତିତିଲି ଦେଲି । ବହୁ ବାଧା ଥାଇ ମଧ୍ୟ ଟଙ୍କା ୨୦ ହଜାରରେ ଏକ ସଂସ୍ଥା ଆରମ୍ଭ କଲି । ସେଥିରେ ପିଲାବେଳୁ ନାଚିବା ଓ ନାଚଶିଖାଇବାର ଇଚ୍ଛାବି ପୁରଣ କଲି । ତିତିଲି କୁ ମୁଁ ନିଜ ଖୁସି ପାଇଁ ଆରମ୍ଭ କରି ପତ୍ରିକା କଥା ଭୁଲିଗଲି । ଅନେକ ବାଧା ଅସିଲା ତିତିଲି ଏକାଡେମୀରେ କିନ୍ତୁ ଯେଉଁ ଇଛା ପାଇଁ ତିତିଲି ଆରମ୍ଭ କରିଥିଲି ତାଠାରୁ ମୁଁ ବହୁଦୂରରେ ଥିଲି । କରୋନା ଯୋଗୁଁ ପୁଣି ସୁଯୋଗ ପାଇଲି ପତ୍ରିକାଟିକୁ ଆରମ୍ଭ କରିବି ବୋଲି ଯେଉଁଥିରେ ମୁଁ ଏହାକୁ ପ୍ରକାଶ କରିବି ସବୁଠାରୁ ସହଜ ମାଧ୍ୟମ ମୋବାଇଲ୍ରେ । ତିତିଲି କୁ ଡେଣା ଦେବା ଆପଣଙ୍କର ମୋ ଉପରେ ବିଶ୍ୱାସ । ଏଥିରେ ମୁଁ ମୋ ପରି କେତେଜଣଙ୍କ ସ୍ୱପ୍ନକୁ ଉଡିବାର ଆଶା ପ୍ରଦାନ କରିପାରିବି ବୋଲି ମୋର ଆଶା ।
-ଅର୍ପିତା ନନ୍ଦ