ଶ୍ରାବଣେ କୁଞ୍ଜମନ୍ଦିରମ୍…. ଶ୍ରୀମନ୍ଦିରରେ ଝୁଲଣ ଯାତ୍ରା

0
ଶ୍ରୀମନ୍ଦିରରେ ପାଳିତ ଅନେକ ଯାତ୍ରା, ଉପଯାତ୍ରା ତଥା ଉତ୍ସବାଦି ଓ ତ୍ରୟୋଦଶ ଯାତ୍ରା ବ୍ୟତୀତ ୫୦ରୁ ଉର୍ଦ୍ଧ ଉପଯାତ୍ରା, ଉତ୍ସବାଦି ମଧ୍ୟରେ ଝୁଲଣ ଯାତ୍ରା  ଅନ୍ୟତମ । ଶ୍ରୀମନ୍ଦିରରେ ଝୁଲଣ ଯାତ୍ରା ଶ୍ରାବଣ ଶୁକ୍ଳ ଦଶମୀଠାରୁ ପ୍ରତିପଦ ଯାଏ ୭ ଦିନ ବ୍ୟାପି ହୋଇଥାଏ । ବେହେରଣ ଦ୍ୱାର ସମ୍ମୁଖରେ ଥିବା ମୁକ୍ତି ମଣ୍ଡପରେ ଝୁଲଣ କୁଞ୍ଜ ବହୁ ଆକର୍ଷଣୀୟ ଭାବେ ସାଜ୍ଜା ହୋଇଥାଏ ।

ଆଷାଢେ ଗୁଣ୍ଡିଚା ଯାତ୍ରା, ଶ୍ରାବଣେ କୁଞ୍ଜମନ୍ଦିରମ୍

ଝୁଲଣର ପ୍ରଥମ ଦିନ ଅର୍ଥାତ ଶ୍ରାବଣ ଶୁକ୍ଳ ଦଶମୀ ଦିନ ମଧ୍ୟାହ୍ନ ଧୂପ ବଢ଼ିବା ପରେ ଭିତର ଗମ୍ଭୀରରେ ପାଣି ପଡି ଧୁଆ ଯିବା ପରେ ଖୁଣ୍ଟିଆ ପୁଷ୍ପାଳକଙ୍କୁ ଡାକିଥାନ୍ତି । ଏହି ସମୟରେ ଗରାବଡୁ ସେବକଙ୍କଠାରୁ ହାତୁଆଣୀ ନେଇ ପୁଷ୍ପାଳକ ସେବକମାନେ ଶ୍ରୀଜୀଉମାନଙ୍କ ମଇଲମ କରିଥାନ୍ତି । ପାଳିଆ ମେକାପ ତିନୋଟି ରୂପା ଗିନାରେ ଘଟୁଆରୀ ସେବକ ଦେଇଥିବା ଚନ୍ଦନକୁ ନେଇ ପାଳିଆ ପୁଷ୍ପାଳକଙ୍କୁ ବଢ଼ାଇଥାନ୍ତି । ତିନି ବାଡ଼ରେ ସର୍ବାଙ୍ଗ ଚନ୍ଦନ ଲାଗି କଲାପରେ ଶ୍ରୀଜୀଉମାନଙ୍କ ବେଶ ବଢିଥାଏ । ଏହି ଦିନ ମହାଜନ ସେବକମାନେ ରତ୍ନସିଂହାସନରୁ ଶ୍ରୀଦେବୀ ଓ ଭୂଦେବୀଙ୍କୁ ଦକ୍ଷିଣୀ ଘର ବିଜେ କରାନ୍ତି ଓ ଦକ୍ଷିଣୀ ଘରୁ ମଦନମୋହନଙ୍କୁ ଆଣି ଶ୍ରୀମନ୍ଦିର ବେହେରଣ ଦ୍ୱାର ସମ୍ମୁଖରେ ଥିବା ମୁକ୍ତିମଣ୍ଡପରେ ଅନୁଷ୍ଠିତ ହେଉଥିବାରୁ ଏହାକୁ ଝୁଲଣ ମଣ୍ଡପ ବିଜେ କରାନ୍ତି ।  ଏହିଠାରେ ୩ଦିଅଁଙ୍କ ବେଶ ମହାଜନ ସେବାୟତ କରିଥାନ୍ତି ।

ଏହାପରେ ଝୁଲଣ ମଣ୍ଡପରେ ବିରାଜିତ ସମସ୍ତ ଚଳନ୍ତି ପ୍ରତିମାଙ୍କ ଭୋଗ ହୋଇଥାଏ ।  ଛାମୁ ଦିହୁଡ଼ି ସହ ଶ୍ରୀଦେବୀ, ଭୂଦେବୀ ଓ ମଦନମୋହନ ରତ୍ନସିଂହାସନ ବିଜେ କରିଥାନ୍ତି ସେଠାରେ ପୁଷ୍ପାଳକ ସେବକମାନେ ତିନି ବାଡ଼ରେ କର୍ପୁର ଲାଗି କରିବା ପରେ ସିଂହାସନରୁ ଓଲ୍ହାଇ ତିନି ବାଡ଼ରେ ସାନ୍ଧ୍ୟ ଆଳତି କରିଥାନ୍ତି । ଏହାପରେ ପୂଜାପଣ୍ଡା ସେବକ ହାତୁଆଣି ନେଇ ମହାପ୍ରଭୁଙ୍କ ଦକ୍ଷିଣ ଭୁଜରୁ ଆଜ୍ଞାମାଳ ନେଇ ଶ୍ରୀମଦନମୋହନଙ୍କୁ ଓ ଉତ୍ତର ଭୁଜର ଦୁଇ ଆଜ୍ଞାମାଳ ଭୂଦେବୀ ଓ ଶ୍ରୀଦେବୀଙ୍କୁ ଲାଗି କରିଥାନ୍ତି । ତତ୍ପରେ ଛାମୁ ଦିହୁଡ଼ି ସହ ମହାଜନ ସେବକମାନେ ତିନି ଚଳନ୍ତି ପ୍ରତିମାଙ୍କୁ ହସ୍ତରେ ବିଜେ କରାଇ ଜଗମୋହନ, ବଟ  ଦ୍ୱାର ଦେଇ ଝୁଲଣ ମଣ୍ଡପ ଦୋଳି ଉପରେ ବିଜେ କରାନ୍ତି । ଏଠାରେ ବିଡ଼ିଆ ମଣୋହି ହୋଇଥାଏ । ଝୁଲଣ ଯାତ୍ରା ସମୟରେ ଶ୍ରୀମନ୍ଦିର ସ୍ଵତ୍ଵଲିପି ମୁତାବକ ଝୁଲଣ ଭୋଗ ହୋଇଥାଏ । ସାନ ଅମାଲୁ, ଖିରି, ସର, ଖଇ, କଦଳୀ ଓ କୋରା ଭୋଗ ହୋଇଥାଏ । ଭିତରେ ସଧ୍ୟା ଧୂପ ବଢ଼ିବା ପରେ ଝୁଲଣ ମଣ୍ଡପରେ ସୁଦୁ ସୁଆର ପାଣି ପକାଇବା ପରେ ଆସ୍ଥାନ ପ୍ରତିହାରୀ ଟେରା ବାନ୍ଧି ଶୀତଳ ଭୋଗ ପୂଜା ଠା’ କରିଥାନ୍ତି । ପାଳିଆ ପୂଜାପଣ୍ଡା  ପଞ୍ଚ ଉପଚାରରେ ପୂଜା କରିଥାନ୍ତି । ଭୋଗ ଶେଷ ହେବା ପରେ ମୁଦିରସ୍ତ ବନ୍ଦାପନା ନୀତି ବଢ଼ାଇଥାନ୍ତି । ରତ୍ନସିଂହାସନରେ ଶ୍ରୀଜୀଉଙ୍କ ଚନ୍ଦନ ଲାଗି ନୀତି ସରିବା ପରେ ଝୁଲଣ କୁଞ୍ଜରେ ମହାଜନମାନେ ମଇଲମ କରି ଶ୍ରୀମଦନମୋହନଙ୍କୁ ଦକ୍ଷିଣୀ ଘର ଓ ଶ୍ରୀଦେବୀ, ଭୂଦେବୀଙ୍କୁ ରତ୍ନସିଂହାସନ ବିଜେ କରାଇଥାନ୍ତି ।

ମହାପ୍ରଭୁଙ୍କର ଝୁଲଣ ଯାତ ଅବସରରେ ଝୁଲଣ ସଂଗୀତ – “ଝୁଲନ୍ତି ରଙ୍ଗେ ରାଇ ସଙ୍ଗେ ଶ୍ଯାମ ସୁନ୍ଦର”

ଏହିପରି ଭାବେ ୭ ଦିନ ବ୍ୟାପି ଝୁଲଣ ଯାତ୍ରା ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇଥାଏ।

-କୁମାର ଭୀମସେନ 

Leave A Reply

Your email address will not be published.