କୃଷ୍ଣକାୟ କମଳା

0

ସରିଛି ଯୁକ୍ତରାଷ୍ଟ୍ର ଆମେରିକାର ନିର୍ବାଚନ । ଭାରତୀୟ ବଂଶୋଦ୍ଭବ ଭାବରେ ପ୍ରଥମ, ମହିଳା ଭାବରେ ପ୍ରଥମ କୃଷ୍ଣକାୟ, ପ୍ରଥମ ମହିଳା ଉପରାଷ୍ଟ୍ରପତି ଭାବରେ ନିର୍ବାଚିତ ହେଲେ କମଳା ହାରିସ୍ । ନାଁଟି ଯେମିତି ସୁନ୍ଦର, ବ୍ୟକ୍ତିତ୍ୱ ମଧ୍ୟ ସେମିତି ଆକର୍ଷଣୀୟ ଆଉ ସୁନ୍ଦର । କଥା କହିବା ଆଉ ଭାଷଣ ଦେବାର ଶୈଳୀ ମଧ୍ୟ ବେଶ୍ ଆକର୍ଷଣୀୟ । କାଲିଫର୍ଣ୍ଣିଆ ଓ ହାର୍ଭାଡ ବିଶ୍ୱବିଦ୍ୟାଳୟରୁ ପାଠ ପଢିସାରିବା ପରେ ସେ ମଧ୍ୟ କିଛି ଦିନ ପାଇଁ ଆଇନ୍‌ଜୀବୀ ରୂପେ କାମ କରିଥିଲେ । ସମାନତାର ଲଢେଇ ସେ ବହୁଦିନରୁ ଆମେରିକାରେ ଲଢି ଆସୁଥିଲେ । ୧୯ବର୍ଷ ବୟସରେ ତାଙ୍କ ମା’ ଆମେରିକାକୁ ଭାରତରୁ ଚାଲଯାଇଥିଲେ । ସେଠାରେ ପୁରା ଆମେରିକୀୟ ନାଗରିକତ୍ୱ ଗ୍ରହଣ ପରେ ସେଠାର ବାସିନ୍ଦା ହୋଇଯାଇଥିଲେ ।

ଭାରତୀୟ ବଂଶୋଦ୍ଭବ ଭାବରେ ଯେତେବେଳେ ବିଦ୍ଧିବଦ୍ଧ ଭାବରେ ନିର୍ବାଚିତ ହୋଇସାରିଲା ପରେ କମଳା ନିଜର ଅଭିଭାଷଣ ରଖିଥିଲେ, ସେତେବେଳେ ସେ ନିଜକୁ ଭାରତୀୟ ବଂଶୋଦ୍ଭବ କହି ଅତ୍ୟନ୍ତ ଭାବ ବିହ୍ୱୋଳିତ ହୋଇପଡ଼ିଥିଲେ । ଆମେରିକାରେ ଥିବା ପ୍ରତ୍ୟେକ ଭାରତୀୟଙ୍କୁ ନିଜର ଅଭିଭାଷଣରେ ଶୁଭେଚ୍ଛା ଓ ଧନ୍ୟବାଦ ଜଣେଇଥିଲେ । ବହୁତ ଖୁସି ଲାଗେ ଯେତେବେଳେ କୌଣସି ମହିଳା ଶୀର୍ଷସ୍ଥାନକୁ ନିଜ ଅକ୍ତିଆରକୁ ନେଇଯାଏ । ଜଣେ ମହିଳା ହିସାବରେ ସେତେବେଳେ ଭାରି ଗର୍ବ ଲାଗେ । ସମାନତାର ଜିତାପଟ ହୋଇଛି ବୋଲି ଯେତେବେଳେ କମଳା ନିଜର ପ୍ରତିକ୍ରିୟା ରଖିଥିଲେ ସେତେବେଳେ କରତାଳିରେ ସାରା ଆମେରିକା ପ୍ରକମ୍ପିତ ହୋଇଥିଲା । ଆମେରିକାର ଦ୍ୱିତୀୟ ଶକ୍ତିଶାଳୀ ପଦବୀକୁ ନିଜ ଅକ୍ତିଆରକୁ ଯେତେବେଳେ କମଳା ନେଇଛନ୍ତି ଏହା ଆମ ଭାରତୀୟଙ୍କ ପାଇଁ ତ ନିଶ୍ଚୟ ଗର୍ବ ଓ ଗୌରବର କଥା । କମଳାଙ୍କର ଉପରାଷ୍ଟ୍ରପତି ହେବା ପୂର୍ବରୁ ଆମେରିକାର ରାଜନୀତିରେ ତାଙ୍କର ଥିଲା ବେଶ୍ ଦବ୍‌ଦବା । ସମାଜର ନିମ୍ନସ୍ତରର ବ୍ୟକ୍ତିବିଶେଷ ଏବଂ ବର୍ଣ୍ଣବୈଷମ୍ୟ ଲଢେଇରେ ତାଙ୍କର ଭୂମିକା ଥିଲା ଗୁରୁତ୍ୱପୂର୍ଣ୍ଣ ।


କମଳା ହାରିସ୍ ଅନେକ କାମ ପାଇଁ ପ୍ରଥମ ମହିଳା ଭାବରେ ପରିଚିତ । ତାଙ୍କର ଅଭିଭାଷଣରେ ଗୋଟିଏ ପଦ ଥିଲା ବେଶ୍ ଗୁରୁତ୍ୱପୂର୍ଣ୍ଣ “ମୁଁ ଏଇ ଅଫିସ୍‌ର ପ୍ରଥମ ମହିଳା, କିନ୍ତୁ ଶେଷ ହେବି ନାହିଁ ।” ଏଇ ପଦକ କଥା ନିଶ୍ଚୟ ସମସ୍ତ ମହିଳାଙ୍କ ମନରେ ଗୋଟିଏ ସକରାତ୍ମକ ଚିନ୍ତାଧାର ସୃଷ୍ଟି କରିଥିବ । ସମାନତାର ଲଢ଼େଇରେ କମଳା ଯେମିତି ନିଜର ଦବ୍‌ଦବା ଦେଖେଇଦେଲେ, ତାହା ନିଶ୍ଚୟ ଅନେକ ଲୋକଙ୍କ ପାଇଁ ଆଲୋକବର୍ତ୍ତିକା ସାଜିବ । ଜଣେ ମହିଳାର ଯେତେବେଳେ ଗୋଟିଏ କାର୍ଯ୍ୟ ପାଇଁ ନିଷ୍ଠା ରହିବ, ସେତେବେଳେ ନିଶ୍ଚୟ ସ୍ୱୟଂ ଭଗବାନ୍ ତାକୁ ସହଯୋଗର ହାତ ବଢ଼େଇବେ । ଯାହାର ପ୍ରମାଣ ଆମେ କମଳାଙ୍କ ପାଖରେ ଦେଖିପାରିଛେ । କୃଷ୍ଣକାୟ କମଳାଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା । ସେ ପୁଣି ଯେମିତି ଆଗାମୀ ଦିନରେ ସାରା ବିଶ୍ୱରେ କିଛି ଗୋଟିଏ ପରିବର୍ତ୍ତନର ସ୍ୱର ଆଣି ଆଉଥରେ ଇତିହାସ ରଚନ୍ତୁ।

ପ୍ରୀତିଛନ୍ଦା ଧଳ
ମୋ-୯୯୩୭୭୩୪୪୬୧

Leave A Reply

Your email address will not be published.