ଗତ ଦୁଇ ବର୍ଷ ତଳେ ସୋସିଆଲ ମିଡିଆରେ ବହୁଳ ଭାବରେ ଅଦୃତ ହୋଇଥିବା ଘଟଣାଟିଏ ଉଲ୍ଲେଖ କରିବାକୁ ଚାହୁଁଛି । ଜଣେ ମିହିଳା କର୍ମଚାରୀ ପନ୍ଦର ମାସରେ ଅଠର ହଜାର ଟଙ୍କା ରୋଜଗାର କଲେ ତାର ମାସିକ ଦରମା କେତେ? ସାତ ମାସରେ ମହିଳା ଜଣଙ୍କ କେତେ ଟଙ୍କା ରୋଜଗାର କରିପାରିବ ଏବଂ ତିରିଶି ହଜାର ଟଙ୍କା ରୋଜଗାର କରିବାକୁ ତାର କେତେ ମାସ ଦରକାର?
ଉପରୋକ୍ତ ପ୍ରଶ୍ନ ଟି ସପ୍ତମ ଶ୍ରେଣୀ ପିଲାଙ୍କ ପାଇଁ ଉଦିଷ୍ଟ ଏକ ଗଣିତ ପ୍ରଶ୍ନ ।ଜଣେ ଛାତ୍ର ପ୍ରଶ୍ନଟିକୁ ଠିକ ଭାବରେ ଉତ୍ତର ଦେଇସାରି ଶେଷରେ ସାରାଂଶରେ ନିଜର ମତାମତ ଏପରି ଦେଇଥିଲା,” ଏହି ମହିଳା କର୍ମଚାରୀ ଜଣଙ୍କ ନଜ ପରିଶ୍ରମ ଠାରୁ କମ ଦରମା ପାଉଛନ୍ତି । (This woman worker is underpaid)”
ଉତ୍ତରଟି କେବଳ ସଂପୃକ୍ତ ଶିକ୍ଷକ ଙ୍କୁ ନୁହେଁ, ସୋସିଆଲ ମିଡିଆରେ ଏପରି କି ଭାରତର ଜନସାମାଜରେ ମଧ୍ୟ ଆଖି ଦୃଶିଆ ଅଭିମତ ଗ୍ରହଣ କରିଥିଲା । ଏକ ସପ୍ତମ ଶ୍ରେଣୀ ଛାତ୍ର ଟି ମହିଳା ମାନେ ସ୍ୱଳ୍ପ ବେତନ ଭୋଗୀ ବୋଲି ବୁଝିପାରିଲା ଏହାହିଁ ପ୍ରଶଂସା ଯୋଗ୍ୟ । ବୋଧହୁଏ ସେ ତାର ମା, ଭଉଣୀ କିମ୍ବା ନିକଟ ସମ୍ପର୍କୀୟ ଙ୍କୁ ଦେଖିଛି ସେମାନେ କରୁଥିବା କାମ ତୁଳନାରେ ସେମାନଙ୍କୁ କେହି ଉପଯୁକ୍ତ ମୂଲ୍ୟ ଦିଏନି ବୋଲି ସେ ଉପଲବ୍ଧି କରିପାରିଛି l ବିଶେଷ କରି ଉପରୋକ୍ତ ଘଟଣାଟି ଜଣେ ମହିଳା ଶିକ୍ଷକଙ୍କ ଦୃଷ୍ଟିରେ ଆସିଥିବାରୁ ସେ ଛାତ୍ରଟିର ମାନସିକତା କୁ ବୁଝି ପାରିଥିଲେ । ନଚେତ ତାହା ସମ୍ଭବତଃ ସମସ୍ତ ଙ୍କ ଦୃଷ୍ଟି ଗୋଚରରେ ରହି ଯାଇଥାନ୍ତା ।

ଏହା ଧ୍ରୁବ ସତ୍ୟ ଯେ ଦିନରାତି ବିନା ମୂଲ୍ୟରେ ଅନ୍ୟ ପାଇଁ ନିଜ ମୂଲ୍ୟବାନ ସମୟ, ଶ୍ରମ, ନଜର ପସନ୍ଦ ଅପସନ୍ଦ, ନିଜର ବୃତ୍ତି, ବିଦ୍ୟା ଏପରି ଅନେକ କିଛି ବଳିଦାନ ଦେଉଥିବା ନାରୀ ଟିକୁ ଉପଯୁକ୍ତ ମୂଲ୍ୟ ଦେବା ତ ଦୂରର କଥା, ଭଲ ବ୍ୟବହାର ମଧ୍ୟ ତାକୁ ଘରେ କି ବାହାରେ ଲବ୍ଧ ହୁଏନି ।ଦିନ ସାରା ର ଅକ୍ଲାନ୍ତ ପରିଶ୍ରମ ପରେ ମଦ ଖାଇ ଆସିଥିବା ସ୍ୱାମୀ ର କଷାଘାତରେ ତାର ରାତି ସରେନି ତ କେବେ ନିଜ ହାତରେ ଲହୁଲୁହାଣ ହୋଇ ବଢ଼ାଇଥିବା ପୁଅ ଓ ବୋହୁ ଙ୍କ ଗଞ୍ଜଣା, କେବେ ବୋହୁ ଟିଏ ରୂପରେ ସ୍ୱାମୀ, ଶାଶୁ, ଶ୍ୱଶୁର ଙ୍କ ନିର୍ଯାତନାରେ ସେ ପ୍ରାଣ ହାରେ ତ କେତେବେଳେ କେଉଁ ଅସାମାଜିକ ଙ୍କ ଦୁଷ୍କର୍ମ ର ଶୀକାର ହୋଇ ତାକୁ ଜୀବନ ହରିବାକୁ ପଡିଥାଏ । କେଉଁଠି ନା କେଉଁଠି ଗୋଟିଏ ନାରୀ ହିଁ ବଳି ପଡୁଥାଏ ।ନରୀ ଟିଏ ଏ ସୃଷ୍ଟି ସଂରଚନା ର କର୍ଣ୍ଣଧାର । ତା ବିନା ଏ ସୃଷ୍ଟି ର ସ୍ଥିତି ଅସ୍ଥିର । ତଥାପି ସେ ଅବହେଳିତ, ନିଷ୍ପେସିତ । ବେଳେ ବେଳେ ଉଚ୍ଚ ଶିକ୍ଷିତ ହୋଇ ମଧ୍ୟ, ନିଜେ ରୋଜଗାର କରି ମଧ୍ୟ ସାମାଜିକ ଅବସ୍ଥିତି ହରାଇବା ଭୟରେ ତା ପ୍ରତି ଘରେ ତା ପତି ବା ଅଫିସ ରେ ହେଉଥିବା ନିର୍ଯ୍ୟାତନା କୁ ସେ ଆଖି ରେ ଲୁହ, ମନରେ କୋହ ରଖି ନୀରବରେ ସାହିଯାଏ । ନିଜ ପରିବାର ର ମଙ୍ଗଳ ପାଇଁ ଏକ ମା ହିସାବରେ ହେଉ ବା ବୋହୁ, ଶାଶୁ, ବୁଢ଼ୀ ମା ହିସାବରେ ହେଉ ସେ ଅକ୍ଲାନ୍ତ ପରିଶ୍ରମ କରିଥାଏ ।ଯାହା ବଦଳରେ ସେ କୌଣସି ଟଙ୍କା, ପଇସା, ସୁନା, ରୁପା ନୁହେଁ, କେବଳ ତାକୁ କିଏ ବୁଝୁ, କିଏ ଆଦର ରେ ପଦେ କଥା କହୁ, ସ୍ନେହ ସମ୍ମାନ ଦେଉ ଏତିକି ଇଚ୍ଛା ରଖିଥାଏ ।
ନାରୀ ଜଣେ ଏମିତି ଦଧୀଚି ଯିଏ ନଜର ସବୁକିଛି ନିଜ ପରିବାର ପାଇଁ ଦେଇଥାଏ ।ବିବାହ ପରେ ତାକୁ ଜନ୍ମିତ ପିତାମାତା ଙ୍କୁ ଛାଡି ଶାଶୁ ଘରେ ରହିବାକୁ ପଡେ । ଅନେକ ଅପରିଚିତ ଲୋକଙ୍କୁ ନିଜର କରୁ କରୁ ପରିସ୍ଥିତି ଅନୁସାରେ ତାକୁ ତାର ପାଠ, ଚାକିରୀ, କଳା, ସ୍ବପ୍ନ ସବୁ କିଛି ସମାଧି ଦେବାକୁ ପଡେ ।ପୁଣି ବୟସ ହେଲେ ପୁଅ କି ଝିଅ ଙ୍କ ପାଖରେ ତାଙ୍କ ପିଲାଙ୍କ ଲାଳନ ପାଳନ ପାଇଁ ।ବିବାହ ପରେ ପିତାଙ୍କ ଘରେ ସେ ଅତିଥି, ଶାଶୁ ଘରେ ସେ ସବୁ ଦିନ ପର ଝିଅ ର ଆଖ୍ୟା ନେଇ ବଞ୍ଚେ ଆଉ ତା ପିଲାଙ୍କ ପାଖରେ ସେ ଗୋଟେ ଅଲୋଡ଼ା ମଣିଷ । କେଉଁଟା ତେବେ ତା ଘର । ତା ସ୍ୱାମୀ ର ହୃଦୟ! ହେଲେ ସେଠିକେଉଁ ତାକୁ ସୁରକ୍ଷିତ ଜାଗାଟିଏ ମିଳେକି?
ବହୁଳ ଯୌତୁକ ବଦଳ ରେ ପିତା କିଣି ଦେଇଥିବା ଦୁଇପଟ ଶଙ୍ଖା ଓ ଟୋପାଏ ସିନ୍ଦୁର ତାକୁ ଦାୟୀତ୍ୱ ର ବୋଝ ତାକୁ ଭାରି କରିଦିଏ, ଯେମିତି ସବୁ ସହିବା ର ଧର୍ଯ୍ୟ ଭଗବାନ ତାକୁ ଦେଇଛନ୍ତି । ସମସ୍ତଙ୍କୁ ବୁଝିବା ଶକ୍ତି କେବଳ ତାର ଅଛି, ହେଲେ ଅନ୍ୟ କେହି ତାକୁ ବୁଝିବେନି ।ପରିବାର ର ସବୁ ଦାୟୀତ୍ୱ ତାର । ଯଦି ସେ ଚାକିରୀ କଲା ତେବେ ଘର ବାହାର ସବୁ ବୋଝ କୁ ସମତୁଲ କରି ଚଳାଇବାକୁ ତାକୁ ଅନେକ ଘର୍ମlକ୍ତ ହେବାକୁ ପଡେ ସିନା ବିନା ବାକ୍ୟ ରେ ହସି ହସି ତାକୁ ନିଜର କର୍ତ୍ତବ୍ୟ ରୂପେ ମାନିନେଇ ସେ ଆଗେଇ ଚାଲେ ।
ଏମିତିକି ଶାରୀରିକ ଅସୁସ୍ଥତା ସମୟରେ ବି ସେ ନିଜ ପରିବାର ପାଇଁ କାମ କରିବା ବନ୍ଦ କରେନି । ମା ଡାକ ଶୁଣିବାକୁ ବି ସେ କଣ ନକରେ! ନିଜ ଚେହେରାରେ ପରିବର୍ତ୍ତନ ପାଇଁ ବ୍ୟସ୍ତ ହୁଏନି, ନିଜର ନିମ୍ନତମ ଆବଶ୍ୟକତା ଯେମିତି ଆହାର, ନିଦ୍ରା ବି ତ୍ୟାଗ କରେ । କେତେବେଳେ ନିଜ ଚାକିରୀ, ପ୍ରମୋସନ ମଧ୍ୟ ।ଦୁନିଆର ସବୁଠୁ ବଡ଼ କଷ୍ଟ ଗର୍ଭ କଷ୍ଟ ସହେ ହେଲେ ସେ ଜନ୍ମିତ ପିଲା ତାକୁ କେବେ ବୁଝେ ।ତା ଜୀବନର ଶେଷ ଅବସ୍ଥାରେ ତାର ସହାୟକ ହୁଏ? ଶେଷରେ କେଉଁ ଅନାଥ ଆଶ୍ରମର ଶରଣାର୍ଥୀ ତାକୁ ହେବାକୁ ପଡେ ।
ସମସ୍ତେ ନିଜ ହକ ପରି ତାଠୁ ଦାୟୀତ୍ୱବୋଧ ଆଶାକରନ୍ତି।ହେଲେ କେହି କେବେ ତା ପ୍ରତି ଦରଦ ଦେଖନ୍ତି କି? ତା ମନ କଥା ବୁଝିବା, ଖୁସି ଦେବା ତ ତ ଦୂରର କଥା କେହି ତା କଷ୍ଟ ଜାଣିବାକୁ ଇଚ୍ଛା ବି କରନ୍ତିନି । ଦୁନିଆ କୁହେ ସେ ଅଗ୍ନି ପରି ଅପରିତୃପ୍ତ ହେଲେ ଥରେ ଭଲପାଇବା ର ଘୃତ ରେ ତାକୁ ତୃପ୍ତ କଲେ ଘର କଣ ଏ ଦୁନିଆ ବି ଶାନ୍ତ ହୋଇଯାଆନ୍ତା ।
