ସୁନ୍ଦର ଓ ସୁସ୍ଥ ବିଶ୍ୱ

0

ସ୍ୱାସ୍ଥ୍ୟ, ମାନବ ଜୀବନର ସବୁଠାରୁ ମୂଲ୍ୟବାନ ସମ୍ପଦ । ଏହି ବହୁ ମୂଲ୍ୟବାନ ସମ୍ପଦ ବିଷୟରେ ଲୋକଙ୍କ ଧ୍ୟାନ ଆକର୍ଷଣ କରିବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ନେତୃତ୍ୱ ରେ ପ୍ରତି ବର୍ଷ ଏପ୍ରିଲ ୭ କୁ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ରୂପେ ପାଳନ କରାଯାଉଛି । ୧୯୪୮ ରେ ଏହି ସଂଗଠନ ର ସ୍ଥାପନା କରାଯାଇଥିଲେ ମଧ୍ୟ ୧୯୫o ରୁ ଏହା ସମଗ୍ର ବିଶ୍ୱରେ ପାଳନ ହୋଇଆସୁଛି ।ଏହି ଦିନ ବିଶ୍ୱ ଆଧାରରେ ସ୍ୱାସ୍ଥ୍ୟ ସହ ଜଡ଼ିତ ବିଭିନ୍ନ ସମସ୍ୟା ଉପରେ ବିଦ୍ୟାଳୟ, ମହାବିଦ୍ୟାଳୟ ଏବଂ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ତରଫରୁ ଅନେକ କାର୍ଯ୍ୟକ୍ରମ ଆୟୋଜନ କରାଯାଏ । ଉତ୍ତମ ସ୍ୱାସ୍ଥ୍ୟ ର ଉପଯୋଗିତା ବିଷୟରେ ଜନସାଧାରଣ ଙ୍କୁ ସଚେତନ କରିବା ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସ୍ଥାପନା କୁ ମନେ ରଖିବା ଏହି ଦିବସ ପାଳନ ର ଉଦ୍ଦେଶ୍ୟ ।

ଲକ୍ଷ୍ୟ :-

▪️ଦେଶର ନାଗରିକ ମାନଙ୍କୁ ବିଭିନ୍ନ ରୋଗ ସମ୍ବନ୍ଧୀୟ ଜ୍ଞାନ ଦେବା ସହିତ ସେହି ରୋଗରୁ ନିଜକୁ ରକ୍ଷା କରିବା ପାଇଁ ଉପାୟ ଓ ସଚେତନତା ବିଷୟରେ ଧାରଣା ଦେବା ।

▪️ପ୍ରତ୍ୟେକ ମଣିଷ ସର୍ବ ପ୍ରଥମେ ନିଜେ ନିଜର ଶରୀର ର ଯତ୍ନ ନେବା ପାଇଁ ଉତ୍ସାହିତ ଏବଂ ଚେଷ୍ଟିତ ହେବା ।

▪️ରୋଗଗ୍ରସ୍ତ ଲୋକଙ୍କୁ ସୁରକ୍ଷା ଓ ଚିକିତ୍ସା ପ୍ରଦାନ କରିବା।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଅନୁସାରେ ଦେଶ ର ପ୍ରତି ନାଗରିକ ମାନସିକ, ଶାରୀରିକ ଏବଂ ସାମାଜିକ ଭାବରେ ସୁସ୍ଥ ରହିବା ଆବଶ୍ୟକ । ଚଳିତ ବର୍ଷ ୨o୨୧ ଅନୁଯାୟୀ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ର ଥିମ୍ ରହିଛି, ” ଏକ ସୁନ୍ଦର ଓ ସୁସ୍ଥ ବିଶ୍ୱର ଗଠନ ” । ଏବେ ଆମ ସମାଜରେ ସାମାଜିକ ରୋଗ ଯେପରିକି ନିଶା ସେବନ,ହତ୍ୟା, ବଳାତ୍କାର, ଦୁର୍ଘଟଣା ଆଦି ବୃଦ୍ଧି ପାଇବାରେ ଲାଗିଛି ।ଯାହା ସମାଜ କୁ ପଙ୍ଗୁ କରିଦେଉଛି । ଖୁସିର କଥା ଆମେ ସମସ୍ତେ ଏକ ସୁସ୍ଥ ଜୀବନ ବଞ୍ଚି ପାରିବା କେବଳ କିଛି ଛୋଟ ଛୋଟ ପରିବର୍ତ୍ତନ ଦ୍ଵାରା । ଆମର ଦୈନନ୍ଦିନ ଚଳଣି ଏବଂ ଖାଦ୍ୟାଭ୍ୟାସ ରେ ସାମାନ୍ୟ ନିୟମିତତା ଓ ବାରଣ ଦ୍ଵାରା ଏହା ସମ୍ଭବପର ହୋଇପାରିବ । ମାନସିକ ତଥା ଶାରୀରିକ ସ୍ୱାସ୍ଥ୍ୟ ରେ ଅଭିବୃଦ୍ଧି ଆଣିବା ପାଇଁ ମୁଖ୍ୟତଃ ୫ ଟି ପଦ୍ଧତି ବିଶେଷ ଗୁରୁତ୍ୱପୂର୍ଣ ।

୧. ସୁଷମ ଖାଦ୍ୟ :-

ଏହାକୁ ସୁସ୍ଥ ଜୀବନର ପ୍ରଥମ ପାହାଚ କହିଲେ ଠିକ ହବ । ପୁରା ଦିନରେ ସର୍ବନିମ୍ନ ୩ ଟି ପୁଷ୍ଟିସାର ଜନିତ ଭୋଜନ ଏବଂ ହାଲୁକା ରାତ୍ରିଭୋଜନ ଅତ୍ୟନ୍ତ ଆବଶ୍ୟକ ।ଖାଦ୍ୟରେ ପନିପରିବା, ଫଳ ଏବଂ ପ୍ରୋଟିନଯୁକ୍ତ ଖାଦ୍ୟର ମାତ୍ରା ଅଧିକ ରହିବା ଉଚିତ ।

୨. ଶାନ୍ତିନିଦ୍ରା :-

ନିରବଛିନ୍ନ ନିଦ୍ରା ମନୁଷ୍ୟର ସୁଖୀ ଜୀବନ ସହିତ ଏକାଗ୍ରତା ବଢେଇବାରେ ମଧ୍ୟ ସହାୟକ ହୋଇଥାଏ ।ନିଦ୍ରାହୀନତା ଦ୍ଵାରା ମେଦବହୁଳତା, ହୃଦୟରୋଗ ଏବଂ ମାନସିକ ଚାପ ଭଳି ରୋଗର ଆଶଙ୍କା ବୃଦ୍ଧିପାଏ ।ଏଣୁ ପ୍ରତିଦିନ ୭ – ୮ ଘଣ୍ଟା ର ନିଦ ଏକ ସୁସ୍ଥ ମଣିଷ ପାଇଁ ନିହାତି ଆବଶ୍ୟକ ।

୩. ମାନସିକ ସମସ୍ୟା ଦୂରୀକରଣ :-

ସୁସ୍ଥ ଶରୀର ପରି ସୁସ୍ଥ ମନ ମଧ୍ୟ ମଣିଷର ଅତି ଦରକାରୀ । କାରଣ ମାନସିକ ସ୍ୱାସ୍ଥ୍ୟ ର ପ୍ରଭାବ ସମଗ୍ର ଶରୀର କୁ ପ୍ରଭାବିତ କରିଥାଏ ।ନିଜକୁ ଖୁସି ଓ ଆତ୍ମସନ୍ତୋଷ ପ୍ରଦାନ କରୁଥିବା କାର୍ଯ୍ୟସବୁ କରିପାରିଲେ ଜଣେ ମାନସିକ ଭାବରେ ସୁସ୍ଥ ରହିପାରିବ ।

୪. ଚିନ୍ତାମୁକ୍ତ ରହିବା :-

କଥାରେ ଅଛି, ” ଲୁଣ ଖାଏ ହାଣ୍ଡି , ଚିନ୍ତା ଖାଏ ଗଣ୍ଡି ” । ଅନେକ ସମୟରେ ଦେଖାଯାଏ ଲୋକେ ଦୁଶ୍ଚିନ୍ତା ବଶବର୍ତ୍ତୀ ହୋଇ ନିଜ ଶରୀରକୁ ମଧ୍ୟ ପରୋକ୍ଷ ଭାବରେ କ୍ଷତିଗ୍ରସ୍ତ କରନ୍ତି।ଫଳସ୍ୱରୂପ ଅନେକ ରୋଗ ଶରୀର କୁ କବଳିତ କରେ । ଏହାକୁ ‘silent killer ‘ ବା ‘ନିରବ ହତ୍ୟାକାରୀ ‘ ମଧ୍ୟ କୁହାଯାଇ ପାରିବ । ଏହାକୁ ଦୂର କରିବା ପାଇଁ ପ୍ରାଥମିକ ସ୍ତରରେ ପ୍ରାତଃଭ୍ରମଣ, ଯୋଗ ଓ ଧ୍ୟାନ ଭଳି ସହଜ ଉପାୟ ଅବଲମ୍ବନ କରାଯାଇପାରିବ ।ଅଧିକ ଅସୁବିଧା ହେଲେ ମନୋଚିକିତ୍ସକ ଙ୍କ ମଧ୍ୟ ସାହାଯ୍ୟ ନିଆଯାଇପାରେ ।

୫. ବ୍ୟାୟାମ :-

ବ୍ୟାୟାମ ର ଉପକାରିତା ବିଷୟରେ ସଭିଏଁ ଅଳ୍ପେ ବହୁତେ ଜାଣିଥିବେ । ତଥାପି ନିୟମିତ ବ୍ୟାୟାମ କରିବା ପାଇଁ ଏକାଗ୍ରତା ଦରକାର । ନିୟମିତ ନ ହେଲେ ମଧ୍ୟ ସପ୍ତାହକୁ ଘଣ୍ଟାଏ ଲେଖାଏଁ ୩ ଦିନ ବ୍ୟାୟାମ କରିବା ଶରୀର କୁ ସୁସ୍ଥତା ପ୍ରଦାନ କରେ ।ଏବେ ବ୍ୟାୟାମ କୁ ସହଜ କରିବା ପାଇଁ ନାଚ, ଏରୋବିକ୍ସ, ରନିଙ୍ଗ, ୱାକ, ହାଇକିଂ ଭଳି ସହଜ ଉପାୟ ମାନ ଗ୍ରହଣ କରାଯାଉଛି । ଯାହା ଦ୍ଵାରା ବ୍ୟାୟାମ କଷ୍ଟକର ନ ହୋଇ ବରଂ ମନୋରଞ୍ଜକ ଏବଂ ମଜାଦାର ହୋଇ ପାରୁଛି ।

ଶେଷରେ କୁହାଯାଇପାରେ ଯେ, ଏକ ସୁସ୍ଥ ବିଶ୍ୱ ଗଠନ ପାଇଁ ସୁସ୍ଥ ସମାଜର ଆବଶ୍ୟକତା ରହିଛି । ସୁସ୍ଥ ରହିବା ପାଇଁ କିଛି ମୌଳିକ ସ୍ୱାସ୍ଥ୍ୟ ସୁବିଧା ଯେପରିକି ନିରାପଦ ପାନୀୟ ଜଳ, ସ୍ୱାସ୍ଥ୍ୟ ଅନୁକୂଳ ବାସସ୍ଥାନ, ମୁକ୍ତ ବାୟୁ , ରୋଗ ପାଇଁ ପ୍ରତିଷେଧକ, ନିଶା ଦ୍ରବ୍ୟ ସେବନ ରେ ବାରଣ, ଶିଶୁ ଏବଂ ମହିଳାଙ୍କ ପାଇଁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଇପାରିଲେ ଏକ ସୁନ୍ଦର ଓ ସୁସ୍ଥ ବିଶ୍ୱର ପରିକଳ୍ପନା କରାଯାଇ ପାରିବ ।

🔹ଶ୍ରୁତକୀର୍ତ୍ତି ତ୍ରିପାଠୀ 🔹
ଫୋନ – 6370516478
ଭୁବନେଶ୍ୱର

Leave A Reply

Your email address will not be published.