ଅଭିଯୋଗ, ଅଭିମାନ ଆଉ ଅନୁଶୋଚନା କୁ ନେଇ ଜୀଇ ହୁଏନି ଜୀବନ । ସମସ୍ୟାକୁ ନେଇ ଅଶ୍ରୁ ଢାଳିଲେ ଦୂରେଇ ଯାଏନ ଅଭାବ ଅନଟନ । ଜୀବନକୁ ଆଗେଇ ନେବାକୁ ହେଲେ କାନ୍ଥ ଆରପଟେ ଲୁହକୁ ସମାଧି ଦେବାକୁ ହୁଏ । ଏହି ମନ୍ତ୍ରକୁ ଜୀବନର ସୁତ୍ର କରିପାରିଥିବା ଜଣେ ସଫଳ ମହିଳା ହେଉଛନ୍ତି କେନ୍ଦ୍ରାପଡା ଜିଲ୍ଲା ବାରୋ ଗାଁର ସମ୍ପଦ ପରିଡା । ସମ୍ପଦଙ୍କ ସଂଘର୍ଷ ଓ ସଫଳତାର କାହାଣୀ ଶୁଣିଲେ ଯେ କେହିବି ଆଶ୍ଚର୍ଯ୍ୟ ହୋଇଯିବ । ଅଭାବ ଅନଟନ କବଳରୁ ନିଜେ ମୁକ୍ତି ପାଇବା ସହ ଅନ୍ୟକୁ ମଧ୍ୟ ସ୍ୱାବଲମ୍ବୀ କରି ପାରିଥିବା ଏହି ମହିଳା ଜଣକ ଏବେ ଅନେକଙ୍କ ପାଇଁ ପାଲଟି ଯାଇଛିନ୍ତି ପ୍ରେରଣାର ଏକ ଅନନ୍ୟ ଉତ୍ସ ।
ଅଭାବ ଅସୁବିଧା ଭିତରେ କଷ୍ଟେମଷ୍ଟେ ଚାଲିଥିଲା ସମ୍ପଦଙ୍କ ତେଲ ଲୁଣର ସଂସାର । ଦୁଇ ପୁଅ, ଗୋଟିଏ ଝିଅ ଓ ସ୍ୱାମୀଙ୍କୁ ନେଇ ନିଜ ସଂସାର ରଥର ସାରଥୀ ସାଜିଥିଲେ ସେ । ସ୍ୱାମୀ ଭାଗବତ ଜଣେ କୃଷକ । କୃଷିରୁ ଯାହା ମିଳେ ସେଥିରେ ପରିବାର ପ୍ରତିପୋଷଣ କରିବା ବ୍ୟତୀତ ଅନ୍ୟ ପନ୍ଥା ନଥିଲା । ଦିନକୁ ଦିନ ବଢିଲା ଆବଶ୍ୟକତା ବଢି ଚାଲି ଅଭାବ । ଗ୍ରାମାଚଂଳରେ ମହିଳାମାନେ ପଦାକୁ ଗୋଡକାଢିବାର ଅଲିଖିତ ନିୟମ ହିଁ ସମ୍ପଦଙ୍କ ପାଦରେ ବେଡି ହୋଇ ଝୁଲୁଥିଲା । ଦିନକୁ ଦିନ ଜଟିଳ ହେବାରେ ଲାଗିଥିଲା ପରିସ୍ଥିତି । ଶେଷରେ ନିଜେ କିଛି କରିବାର ଲକ୍ଷ୍ୟ ନେଇ ଘରୁ ଗୋଡକାଢିଲେ ସେ । ସମାଜର ସବୁ ନୀତିନିମୟ ଓ ପରମ୍ପରାକୁ ପାଦରେ ଆଡେଇ ଦେଇ ନିଜେ କିଛି ରୋଜଗାର କରିବା ପାଇଁ ଅଣ୍ଟା ଭିଡିଲେ । ଚାଷ ଜମିରେ ହେଉଥିବା କାଇଁଚ ସଂଗ୍ରହ କରି ସେଥିରେ ତିଆରି କଲେ ଭଳିକି ଭଳି ସାମଗ୍ରୀ । ସେ ସବୁକୁ ବିକ୍ରି କରି ଅର୍ଥ ଉପାର୍ଜନ କରି ପାରିଲେ ସମ୍ପଦ । କିନ୍ତୁ ଏଇଠି ସରି ଯାଇନଥିଲା ସମ୍ପଦଙ୍କ ସ୍ୱାବଲମ୍ବନର ଯାତ୍ରା । ପାଖ ପଡିଶାଙ୍କ ଅଭାବ ଅନଟନରେ ବ୍ୟଥୀତ ସମ୍ପଦ ତାଙ୍କ ପରି ଅନେକ ଅସହାୟ ମହିଳାଙ୍କୁ ଏକଜୁଟ କରିବାରେ ଲାଗିପଡିଲେ । ମାତ୍ର ୧୦ ଜଣ ମହିଳାଙ୍କୁ ନେଇ ୨୦୦୦ ମସିହାରେ ସେ ଗଢିଲେ ‘ମା ବୁଢି ଜାଗୁଳାଇ ସ୍ୱୟଂ ସହାୟକ ଗୋଷ୍ଠୀ’ । ଏଠାରେ ମହିଳାମାନଙ୍କୁ କାଇଁଚ ସାମଗ୍ରୀ ତିଆରି ପ୍ରଶିକ୍ଷଣ ଦେବା ସହିତ ସେ ସବୁକୁ ବିକ୍ରି କରି ରୋଜଗାର କରିବାର ରାହାଟିଏ ଦେଖାଇ ପାରିଲେ ।
ଏଇ ୧୦ବର୍ଷ ଭିତରେ ସମ୍ପଦଙ୍କ ସ୍ୱୟଂସହାୟକ ଗୋଷ୍ଠୀର କଳେବର ବେଶ ବୃଦ୍ଧି ପାଇଛି । ସମ୍ପଦଙ୍କ ନେତୃତ୍ୱରେ ଏବେ ୧୦ ଗୋଟି ଗ୍ରୁପ୍ ପରିଚାଳିତ । ପ୍ରତି ଗ୍ରୁପ୍ ରେ ରହିଛନ୍ତି ୧୫ ଜଣ ମହିଳା ସଦସ୍ୟ । ୧୦ ଗୋଟି ଗ୍ରୁପ୍ କୁ ନେଇ ଗୋଟିଏ ଗୋଟିଏ ଉତ୍ପାଦକ ଗୋଷ୍ଠୀ ତିଆରି ହୋଇଛି । ଏକାଧିକ ଉତ୍ପାଦକ ଗୋଷ୍ଠୀରେ ରହିଛନ୍ତି ଶତାଧିକ ମହିଳା । ସମ୍ପଦଙ୍କ ଉଦ୍ୟମ ଓ ନିଷ୍ଠାକୁ ଦୃଷ୍ଟିରେ ରଖି ଜିଲ୍ଲା ଶିଳ୍ପ ସଂସ୍ଥା ସମେତ ଓରମାସ୍ ଓ ନାବାର୍ଡ ପରି ସଂସ୍ଥା ସହଯୋଗର ହାତ ବଢାଇଛନ୍ତି । ପ୍ରତି ସଦସ୍ୟଙ୍କୁ ଏବେ ଜିଲ୍ଲା ଶିଳ୍ପ ସଂସ୍ଥା କାଇଁଚ ବୁଣିବାର ପ୍ରଶିକ୍ଷଣ ଦେଉଛି । ପ୍ରଶିକ୍ଷଣ ସମୟରେ ପ୍ରତ୍ୟେକଙ୍କୁ ମିଳୁଛି ୩ ହଜାର ଟଙ୍କାର ଷ୍ଟାଇପେଣ୍ଡ । ସମ୍ପଦଙ୍କ ଗ୍ରୁପ୍ ର ହାତତିଆରି କାଇଁଚ ସାମଗ୍ରୀ ଦିଲ୍ଲୀ, ବାଙ୍ଗାଲୋର, ଗୋଆ, ରାଜସ୍ଥାନ, ନାଗପୁର ବିଶାଖାପାଟଣା ପ୍ରଭୃତି ବଡବଡ ସହରରେ ପ୍ରଦର୍ଶିତ ହୋଇ ସାରିଛି । ପ୍ରତି ପ୍ରଦର୍ଶନୀ ପାଇଁ ପ୍ରାୟ ୫ ଲକ୍ଷ ଟଙ୍କାର ସାମଗ୍ରୀ ନେଇ ସେ ବିକ୍ରି ପାଇଁ ଯାଆନ୍ତି । ସମ୍ପଦଙ୍କ ଉଦ୍ୟମରେ ଆଜି ୨ ଶହ ମହିଳାଙ୍କ ଘରେ ଜଳି ଉଠିଛି ଆଶାର ଦୀପଶିଖାଟିଏ । ସମ୍ପଦଙ୍କ ଉଦ୍ୟମକୁ ଏବେ ସମସ୍ତେ ସଲାମ୍ କରୁଛନ୍ତି ।
-ମାତୃଦତ୍ତ ମହାନ୍ତି, କେନ୍ଦ୍ରାପଡା